ଲଣ୍ଡନ: ପ୍ରଥମଥର ପାଇଁ ବୈଜ୍ଞାନିକମାନେ ମଣିଷମାନଙ୍କ ରକ୍ତରୁ ଛୋଟଛୋଟ ପ୍ଲାଷ୍ଟିକ ଗୁଣ୍ଡ ବା ମାଇକ୍ରୋ ପ୍ଲାଷ୍ଟିକ ଠାବ କରିଛନ୍ତି। ଏହା ପ୍ରଦୂଷଣର ଅନ୍ୟତମ ଉତ୍ସ ହୋଇଥିବା ବେଳେ ମଣିଷମାନଙ୍କ ଶରୀରରୁ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନେଦରଲ୍ୟାଣ୍ଡସର ଗବେଷକମାନେ କରୁଥିବା ପରୀକ୍ଷାରେ ସାମିଲ ହୋଇଥିବା ପ୍ରାୟ ୮୦% ଲୋକଙ୍କ ଶରୀରରୁ ଏପରି ମାଇକ୍ରୋ ପ୍ଲାଷ୍ଟିକ ଚିହ୍ନଟ ହୋଇଛି।
ମାଇକ୍ରୋ ପ୍ଲାଷ୍ଟିକ ଶରୀର ଭିତରେ ଶିରାପ୍ରଶିରାରେ ବୁଲିବା ସହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଅଟକିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏପରି ଗବେଷଣାର ଗୁରୁତ୍ୱ ବେଶ ଅଧିକ। ଅବଶ୍ୟ ବୈଜ୍ଞାନିକମାନେ ଦୀର୍ଘକାଳୀନ ସୂତ୍ରରେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼ିବ, ସେକଥା ଏଯାଏ ଜାଣିବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ସାରା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ୁଥିବାରୁ ଏପରି ମାଇକ୍ରୋ ପ୍ଲାଷ୍ଟିକ ଠାବ ହେବା ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।
ମିଳିଥିବା ସୂଚନା ଅନୁସାରେ, ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ସ୍ୱେଚ୍ଛାକୃତ ଭାବେ ପରୀକ୍ଷାରେ ସାମିଲ ହୋଇଥିବା ୨୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ଏହି ସମୟରେ ୧୭ ଜଣଙ୍କ ରକ୍ତ ନମୁନାରୁ ମାଇକ୍ରୋ ପ୍ଲାଷ୍ଟିକ୍ ମିଳିଛି। ଏପରି ଅନୁଧ୍ୟାନକୁ ‘ଅତ୍ୟନ୍ତ ଚିନ୍ତାଜନକ’ ବୋଲି ଗବେଷକମାନେ କହିଛନ୍ତି।