ଗଞ୍ଜାମ : ହିଞ୍ଜିଳିକାଟୁରେ ହଇଜା ବ୍ୟାପିଲାଣି । ହିଞ୍ଜିଳିକାଟୁ ପୌରାଞ୍ଚଳ ବି.ନୂଆଁଗଡ଼ ଗ୍ରାମରେ ଗତ ୪ ଦିନରେ ୪୫ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ବେସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଘଟିବାରୁ କିଛି ରୋଗୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି । ଆଉ କିଛି ରୋଗୀ ଘରୋଇ ହସ୍ପିଟାଲ ଓ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଦୂଷିତଜଳ ପିଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଆଉ କିଛି ଲୋକ ଚିଙ୍ଗୁଡ଼ି ଖାଇ ଆକ୍ରାନ୍ତ ହୋଇଥିବା କହୁଛନ୍ତି । ପାଣି ଟାଙ୍କିରେ ଶିଉଳି ଜମିଥିଲେ କିମ୍ବା ବ୍ଳିଚିଂ ପାଉଡର ବହୁଦିନ ଧରି ପଡ଼ିନଥିବା ଦୂଷିତ ପାଣି ପିଇବା ଦ୍ୱାରା ବି ଝାଡ଼ାବାନ୍ତି ବ୍ୟାପିବାର ସମ୍ଭାବନା ଅଧିକ ଥାଏ ବୋଲି ଏଡିଏମ୍ଓ କହିଛନ୍ତି । ଲୋକଙ୍କୁ ହାଲୋଜେନ୍ ଟାବ୍ଲେଟ ସହ ଓଆରଏସ୍ ପ୍ୟାକେଟ୍ ପ୍ରଦାନ କରାଯାଉଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ହିଞ୍ଜିଳି ସବ୍ଡିଭିଜନ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା. ପ୍ରତିଭା କୁମାରୀ ପାତ୍ର କହିଛନ୍ତି । ଅଧିକାରୀଙ୍କ ଗସ୍ତ ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର, ସ୍ୱାସ୍ଥ୍ୟ କର୍ମୀ ନାରାୟଣ ନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ହରପ୍ରିୟା ନାୟକ ଓ ଆଶାକର୍ମୀ ଲକିରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଘଟଣା ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ ।