ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ସଜେଇ ହୋଇ ରହିଥିବା ସ୍ନାନବେଦୀ ଅପେକ୍ଷା କରିଛି ଶ୍ରୀଜିଉଙ୍କ ଆଗମନକୁ। ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ୱାରା ସେନାପଟା ଲାଗି କରାଯାଇଛି । ଦୀର୍ଘ ଦୁଇବର୍ଷ ପରେ ଭକ୍ତମୟ ପରିବେଶରେ ସ୍ନାନଯାତ୍ରା ହେବାକୁ ଯାଉଥିବାରୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଦେବସ୍ନାନ ପାଇଁ ରାତି ୩ଟା ୩୦ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀକୁ ଯାତ୍ରା କରିବେ । ଭୋର ୪ ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ ୬ ଟା ସୁଦ୍ଧା ପହଣ୍ଡି ଶେଷ ହେବ । ମଙ୍ଗଳାଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ ୯ଟା ୩୦ ରୁ ୧୧ଟା ୩୦ ମଧ୍ୟରେ ଜଳଲାଗି ନୀତି ଅନୁଷ୍ଠିତ ହେବ ।
ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖି ଆସନ୍ତାକାଲି ଗରାବଡୁ ସେବକମାନେ ସ୍ନାନବେଦୀକୁ ଆଣିବା ପରେ ପଞ୍ଚ ଉପଚାର ବିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ବଢ଼ିବା ପରେ ମଧ୍ୟାହ୍ନ ୧୨ଟା ୩୦ ରୁ ୨ଟା ୩୦ ମଧ୍ୟରେ ହାତୀବେଶ କରାଯାଇ ସ୍ନାନମଣ୍ଡପରେ ଭୋଗ ଅନୁଷ୍ଠିତ ହେବ । ପରେ ଦୁର୍ଲଭ ହାତୀବେଶକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ । ଆସନ୍ତାକାଲିର ସ୍ନାନଯାତ୍ରା ପାଇଁ ଆଜି ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ କରିଛନ୍ତି ଦଇତାପତି ସେବାୟତମାନେ । ବିଳମ୍ବିତ ରାତିରେ କୋଠସୁଆଁଶିଆମାନେ ମହାପ୍ରଭୁଙ୍କ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।
ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରୁଥିବାରୁ ସୋମବାର ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ତେବେ ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ମନ୍ଦିର ଗୁଡ଼ିକର ଦର୍ଶନ ପାଇଁ ମଧ୍ୟ ପ୍ରଶାସନ ସମସ୍ତ ଦ୍ୱାର ବନ୍ଦ କରି ଦେବାରୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିରର ସିଂହଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲା ଯାଇଥିଲା । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ସ୍ଥିତିର ସମୀକ୍ଷା କରିଥିଲେ ଅତରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆରକେ ଶର୍ମା । ରାତି ପାହିଲେ ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଦୁଇବର୍ଷ ପରେ ଭକ୍ତମାନେ ସ୍ନାନଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଉଥିବାରୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବାର ଅନୁମାନ କରାଯାଇଛି ।
ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ଭାବେ ତିନିଜଣ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ଏକ ହଜାର କନଷ୍ଟେବଳ ସହ ୫୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ୱତନ୍ତ୍ର ପୁଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା ଓ ପରମାଣିକ ଟିକେଟଧାରୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ପୁଲିସ ଅତିରିକ୍ତ ଡିଜି ଆରକେ ଶର୍ମା ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଶୃଙ୍ଖଳିତ ଯାତାୟତ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ପୁରୀକୁ ଭୁବନେଶ୍ୱର ଓ କଟକରୁ ଆସୁଥିବା ବସ୍ ପାଇଁ କୌଣସି କଟକଣା ରଖାଯାଇନାହିଁ । ବସ ଗୁଡ଼ିକ ଭୁବନେଶ୍ୱର ଓ କୋଣାର୍କ ପଟୁ ଆସି ପୌରସଂସ୍ଥା ବସଷ୍ଟାଣ୍ଡରେ ପାର୍କିଂ କରି ପୁଣି ସେଠାରୁ ଫେରି ପାରିବେ । ସେହିପରି ପୁରୀରେ ଚାଲୁଥିବା ଟାଉନ ବସ ଗୁଡ଼ିକ ବଡ଼ଦାଣ୍ଡ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଆସିପାରିବେ ।
ତେବେ ଦୁଇ ଚକିଆ ଗାଡ଼ି ଗୁଡ଼ିକ ଗ୍ରାଣ୍ଡ ସେଣ୍ଟରରୁ ମାର୍କେଟ ଛକ ମଧ୍ୟରେ ଥିବା ପାର୍କିଂ ଜୋନରେ ପାର୍କିଂ କରି ପାରିବେ । ସେହିପରି ହାଲୁକା ଗାଡ଼ି ଗୁଡ଼ିକ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶରଧାବାଲି ପାର୍କିଂ, ବ୍ଲୁ ଫ୍ଲାଗ ବିଚ୍ ଏବଂ ଦିଗବାରେଣି ଛକରେ ପାର୍କିଂ କରି ପାରିବେ । ଏହି ଯାନବାହାନ କଟକଣା ସୋମବାର ମଧ୍ୟରାତ୍ରରୁ ଲାଗୁ ହୋଇ ୧୪ ତାରିଖ ଦେବସ୍ନାନ ପୂର୍ଣ୍ଣିମା ନୀତି ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏଥିସହ ଶ୍ରିଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନେ ମାର୍କେଟ ଛକରୁ ଜଗାବଳିଆ ଲଜ୍ ମଧ୍ୟରେ କୌଣସି ବାଇକ୍ରେ ଯାତାୟାତ କରି ପାରିବେ ନାହିଁ । ବୋଲି ସୂଚନା ମିଳିଛି ।