ନୂଆଦିଲ୍ଲୀ : ବ୍ରାଜିଲ୍ର କାକ୍ସିଆସ୍ ଡୋ ସୁଲ୍ରେ ଚାଲିଥିବା ୨୪ତମ ଡିଫ୍ଲିମ୍ପିକ୍ସର ତୃତୀୟ ଦିନରେ ପୁରୁଷ ୧୦ ମି. ରାଇଫଲ୍ ଇଭେଣ୍ଟ୍ରେ ଶୁଟର୍ ଧନୁଷ ଶ୍ରୀକାନ୍ତ ସ୍ୱର୍ଣ୍ଣ ଏବଂ ସୌର୍ଯ୍ୟ ସାଇନି ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଇଭେଣ୍ଟ୍ର ରୌପ୍ୟ ପଦକ ସାଉଥ୍ କୋରିଆର କିମ୍ ଉ ରିମ୍ଙ୍କ ଖାତାକୁ ଯାଇଛି । ବୁଧବାର ଅନୁଷ୍ଠିତ ଫାଇନାଲ୍ରେ ଧନୁଷ ୨୪୭.୫ ବିଶ୍ୱ ରେକର୍ଡ ସ୍କୋର୍ ସହ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୌର୍ଯ୍ୟ ୨୨୪.୩ ସହ ତୃତୀୟ ସ୍ଥାନରେ ରହିଥିଲେ ।
ପୂର୍ବରୁ କ୍ୱାଲିଫିକେଶନ୍ ରାଉଣ୍ଡ୍ରେ ଧନୁଷ (୬୨୩.୩) ଓ ସୌର୍ଯ୍ୟ (୬୨୨.୭) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ହାସଲ କରିଥିଲେ । ହାଇଦ୍ରାବାଦର ଗଗନ ନାରଙ୍ଗ ଏକାଡେମୀରେ ଟ୍ରେନିଂ କରୁଥିବା ଧନୁଷଙ୍କର ଏହା କ୍ୟାରିୟର୍ର ସବୁଠୁ ବଡ଼ ପୁରସ୍କାର । ପରେ ଅନୁଷ୍ଠିତ ବ୍ୟାଡ୍ମିଣ୍ଟନ୍ରେ ଭାରତୀୟ ଟିମ୍ ଜାପାନକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ଗେମ୍ସର ତୃତୀୟ ଦିନ ସୁଦ୍ଧା ଭାରତ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ସହ ଅଷ୍ଟମ ସ୍ଥାନରେ ଥିବାବେଳେ ୧୯ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୧୩ ବ୍ରୋଞ୍ଜ୍ ପଦକ ସହ ୟୁକ୍ରେନ୍ ପ୍ରଥମ ସ୍ଥାନରେ ରହିଛି । ଗେମ୍ସର ୨୦୧୭ ସଂସ୍କରଣରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନିଟି ବ୍ରୋଞ୍ଜ୍ ପଦକ ଜିତିଥିଲା ।