ଗାନ୍ଧୀନଗର: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଆଜି ଗୁଜୁରାଟର ଭୂଜ ଉପକୂଳରୁ ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିଛି ସୀମା ସୁରକ୍ଷା ବଳ । ଏହି ବୋଟରେ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜଳସୀମାରେ ପଶି ମାଛ ମାରୁଥିବା ଖବର ମିଳିବା ପରେ ବିଏସ୍ଏଫ୍ ଯବାନଙ୍କ ପାଟ୍ରୋଲିଂ ଟିମ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା । ଯବାନ ବୋଟକୁ ଦେଖି ପାକିସ୍ତାନୀ ମତ୍ସ୍ୟଜୀବୀମାନେ ଅନ୍ୟ କିଛି ବୋଟରେ ପାକିସ୍ତାନୀ ଜଳସୀମାକୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗୋଟିଏ ବୋଟକୁ ଜବତ କରାଯାଇଛି ।
ବୋଟଟିକୁ ଯାଞ୍ଚ କରାଯାଉଛି । ପ୍ରାଥମିକ ଭାବେ କିଛି ମାଛ ଓ ମାଛ ଧରା ସାମଗ୍ରୀ ମିଳିଥିବା ମଧ୍ୟ ସୂଚନା ରହିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ବରଂ ନିକଟ ଅତୀତରେ ମଧ୍ୟ ଏକାଧିକ ଥର ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିବାର ଉଦାହରଣ ମଧ୍ୟ ରହିଛି । ରାତିରେ ଏମାନେ ଅନୁପ୍ରବେଶ କରି ମାଛ ଧରିବା ସହ ସକାଳ ହେବା ପୂର୍ବରୁ ପାକିସ୍ତାନ ସୀମାକୁ ଖସି ଯିବାରେ ସକ୍ଷମ ହେଉଛନ୍ତି । ବାରମ୍ବାର ଏପରି ଘଟୁଥିବାରୁ ରାତ୍ରୀକାଳୀନ ପାଟ୍ରୋଲିଂକୁ ବିଏସ୍ଏଫ୍ ପକ୍ଷରୁ କଡାକଡି କରାଯାଇଛି ।