କଲମ୍ବୋ : ସାଉଥ୍ ଆଫ୍ରିକାର ଆଣ୍ଟନ୍ ରକ୍ସଙ୍କୁ ଶ୍ରୀଲଙ୍କା ଜାତୀୟ ଫଲ୍ଡିଂ କୋଚ୍ ନିଯୁକ୍ତ କରିଛି । ଏହି ନିଯୁକ୍ତି ଚଳିତବର୍ଷ ମାର୍ଚ୍ଚ ୭ ତାରିଖରୁ କାର୍ଯ୍ୟକାରୀ ହେବ । ଏହି ନିଯୁକ୍ତି ପରେ ନେଦରଲାଣ୍ଡ୍ସ ପୁରୁଷ ଟିମ୍ର କୋଚ୍ ଭାବେ କାର୍ଯ୍ୟ କରିଥିବା ପୂର୍ବତନ ସାଉଥ୍ ଆଫ୍ରିକା ପ୍ରଥମ ଶ୍ରେଣୀ କ୍ରିକେଟର୍ ଆଣ୍ଟନ୍ ଶ୍ରୀଲଙ୍କାର ସମସ୍ତ ଜାତୀୟ ଟିମ୍ ସହିତ ହାଇପରଫର୍ମାନ୍ସ ସେଣ୍ଟର୍ର ଫିଲ୍ଡିଂ ଦାୟିତ୍ୱରେ ରହିବେ । ଏହା ପୂର୍ବରୁ ସେ କାଉଣ୍ଟି ଟିମ୍ ନଟ୍ଟିଂହମ୍ଶାୟାର୍ର ସହାୟକ ଫିଲ୍ଡିଂ କୋଚ୍ ମଧ୍ୟ ଥିଲେ ।
ସେହିପରି ହାଇପର୍ଫର୍ମାନ୍ସ ସେଣ୍ଟର୍ର ପୁନର୍ଗଠନ ଅଂଶସ୍ୱରୂପ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କାର୍ଯ୍ୟକାରୀ କମିଟି ଶ୍ରୀଲଙ୍କା-ଏ, ଅଣ୍ଡର-୧୯ ଏବଂ ଏମର୍ଜିଂ ଟିମ୍ରେ ମଧ୍ୟ ନୂଆ ନିଯୁକ୍ତି କରିଛି । ଏ’ ଟିମ୍ର ମୁଖ୍ୟ କୋଚ୍ ଭାବେ ଅଭିଷ୍କା ଗୁଣୱର୍ଦ୍ଧନେ ଏବଂ ଫିଲ୍ଡିଂ କୋଚ୍ ଭାବେ ଉପୁଲ ଚନ୍ଦନାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଜେହାନ ମୁବାରକଙ୍କୁ ଅଣ୍ଡର-୧୯ ଓ ରୁୱନ୍ କଲ୍ପାଗେଙ୍କୁ ଏମର୍ଜିଂ ଟିମ୍ର ମୁଖ୍ୟ ଦାୟିତ୍ୱ ମିଳିଛି । ରକ୍ସଙ୍କ ବ୍ୟତୀତ ଅନ୍ୟ ନିଯୁକ୍ତିଗୁଡ଼ିକ ୨୦୨୨ ମାର୍ଚ୍ଚ ୧ ତାରିଖରୁ କାର୍ଯ୍ୟକାରୀ ହେବ ।