ଭୁବନେଶ୍ୱର: ମହିଳାଙ୍କ ହାତରୁ ମୋବାଇଲ ଲୁଟି ନେଇଥିବା ଅଭିଯୋଗରେ ବଡଗଡ ଥାନା ପୁଲିସ ଦେଢ଼ମାସ ପରେ ସମ୍ପୃକ୍ତ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗି ଭୋଇସାହି ଅଞ୍ଚଳରେ ରହୁଥିବା ମାନସ ନାୟକ ଓରଫ ଗଲୁଆ(୨୬) । ତା’ ଠାରୁ ଗୋଟିଏ ଚୋରା ମୋବାଇଲ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ମାର୍ଚ୍ଚ ୮ତାରିଖରେ ଅଭିଯୋଗକାରୀ ନିଜ କାରକୁ ବଡଗଡ ଥାନା ଅନ୍ତର୍ଗତ ସି-ରୋଜ୍ ହୋଟେଲ ସମ୍ମୁଖରେ ପାର୍କିଂ କରି ଔଷଧ କିଣିବା ପାଇଁ ଦୋକାନକୁ ଯାଇଥିଲେ ।
ଏହି ସମୟରେ ତାଙ୍କ ପତ୍ନୀ କାର ଭିତରେ ବସି ମୋବାଇଲ ଫୋନରେ କଥା ହେଉଥିଲେ । ହଠାତ ଅଭିଯୁକ୍ତ ମାନସ କାର ନିକଟକୁ ଆସି ଅଭିଯୋଗକରୀ ପତ୍ନୀଙ୍କ ହାତରୁ ମୋବାଇଲ ଫୋନଟିକୁ ବଳପୂର୍ବକ ଛଡାଇ ନେଇ ସେଠାରୁ ଖସି ପଳାଇ ଯାଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ବଡଗଡ ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା ।
ସମ୍ପୃକ୍ତ ଅଭିଯୁକ୍ତ ଜଣକ ଭୋଇସାହି ନିକଟରେ ଚୋରା ମୋବାଇଲ ବିକ୍ରୟ ପାଇଁ ଗ୍ରାହକ ସନ୍ଧାନରେ ଥିବା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା । ଏହି ସୂଚନା ଆଧାରରେ ପୁୁଲିସ ଭୋଇସାହି ଅଞ୍ଚଳରେ ଚଢଉ କରି ସମ୍ପୃକ୍ତ ଅଭିଯୁକ୍ତକୁ କାବୁ କରିଥିଲେ । ମାନସ ଜଣେ ଅଭ୍ୟାସଗତ ଅପରାଧୀ । ତା’ ନାମରେ ବଡଗଡ ଥାନାରେ ୨୦୧୨ ମସିହାରୁ ୨୦୧୯ ମସିହା ମଧ୍ୟରେ ୭ଟି, ଶ୍ରୀଲିଙ୍ଗରାଜ ଥାନାରେ ୨୦୧୦ ମସିହାରେ ଗୋଟିଏ, କଟକ ଟାଙ୍ଗି ଥାନାରେ ୨୦୧୭ ମସିହାରେ ଗୋଟିଏ ଅପରାଧୀକ ମାମଲା ରହିଛି । ତେଣୁ ମାନସ ବିରୋଧରେ ସିଆର୍ପିସି-୧୧୦ରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।