24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶକମ୍ ବୟସରୁ ଶିଶୁଙ୍କୁ ସ୍କୁଲ୍ ପଠାଯିବା ଅନୁଚିତ: ସୁପ୍ରିମକୋର୍ଟ

କମ୍ ବୟସରୁ ଶିଶୁଙ୍କୁ ସ୍କୁଲ୍ ପଠାଯିବା ଅନୁଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସନ୍ତାନ ସନ୍ତତିଙ୍କୁ ଦୁଇବର୍ଷ ହୋଇଗଲା ମାତ୍ରେ ସ୍କୁଲ୍ ପଠାଇବା ନେଇ ମା’-ବାପାଙ୍କ ମଧ୍ୟରେ ଆକୁଳତା ଏବେ ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି । ପିଲାଙ୍କୁ ସ୍କୁଲ୍ ପଠାଇବା ନେଇ ମା-ବାପାଙ୍କ ଏହି ଆକୁଳତା ଉପରେ ସୁପ୍ରିମକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟ କହିଛନ୍ତି, ମନୋବୈଜ୍ଞାନିକ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପିଲାଙ୍କୁ ବହୁ କମ୍ ବୟସରେ ସ୍କୁଲ୍ ପଠାଇବା ଉଚିତ ନୁହେଁ । ଜଷ୍ଟିସ୍ ସଞ୍ଜୟ କିଷନ କୌଲ୍ ଓ ଏମ୍‌ଏମ୍ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇ କହିଛନ୍ତି, ପିଲାଙ୍କୁ ସ୍କୁଲ୍ ପଠାଇବା ନେଇ ମା-ବାପାଙ୍କ ମଧ୍ୟରେ ଏକ ପ୍ରକାର ଆକୁଳତା ଦେଖାଦେଇଛି ।

ସେମାନେ ଚାହୁଁଛନ୍ତି, ଦୁଇବର୍ଷ ବୟସରୁ ତାଙ୍କ ପିଲା ସ୍କୁଲ ଯାଉ । ମାତ୍ର ଏହା ସେମାନଙ୍କ ମନୋବୈଜ୍ଞନିକ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଅଭିଭାବକଙ୍କ ଏକ ସମୂହ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି ଅବସରରେ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଥିଲେ । ଆଗାମୀ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ନ୍ୟୂନତମ ବୟସ ସୀମା ୬ ବର୍ଷ ମାନଦଣ୍ଡକୁୁ ଅଭିଭାବକ ସମୂହ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଅଭିଭାବକମାନେ ଦିଲ୍ଲୀ ହାଇକୋର୍ଟଙ୍କ ଏପ୍ରିଲ୍ ୧୧ ତାରିଖର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ଦାବି କରିଥିଲେ ଯେ ମାର୍ଚ୍ଚ ୨୦୨୨ ପାଇଁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବାର ଠିକ୍ ଚାରିଦିନ ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌) ଆଡ୍‌ମିଶନ୍ ମାନଦଣ୍ଡରେ ପରିବର୍ତ୍ତନ କରି ୬ ବର୍ଷ କରିଥିଲା, ଯାହା ପୂର୍ବରୁ ପାଞ୍ଚବର୍ଷ ଥିଲା ।

ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ପୂର୍ବରୁ କରାଯାଇଥିବା ବହୁ ଅଧ୍ୟୟନରୁ ଜଣାପଡ଼ିଛି ଯେ ପିଲାଙ୍କୁ ସ୍କୁଲ୍ ପଠାଇବାର ଏକ ଉପଯୁକ୍ତ ବୟସ ରହିଛି । ପିଲାଙ୍କ ସହ ଏପରି ଜବରଦସ୍ତି କରାଯିବା ଉଚିତ ନୁହେଁ । ଏହା ସେମାନଙ୍କ ବୁଝିବା ଏବଂ ପଢ଼ିବା କ୍ଷମତାକୁ ପ୍ରଭାବିତ କରିପାରେ । ଏହାର ମନୋବୈଜ୍ଞାନି ପ୍ରଭାବ ମଧ୍ୟ ହୋଇପାରେ । ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ କୌଣସି ନୋଟିସ୍ ବିନା ବୟସ ସୀମାରେ ପରିବର୍ତ୍ତନ ଯୋଗ୍ୟ ଛାତ୍ରଙ୍କ ହିତର ପରିପନ୍ଥୀ । ଏହା ନିଃଶୁଳ୍କ ଏବଂ ଅନିବାର୍ଯ୍ୟ ଶିଶୁ ଶିକ୍ଷା ଅଧିନିୟମ ୨୦୦୯ ଉଲ୍ଲଂଘନ ।

ଶୁଣାଣି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୧ ରାଜ୍ୟରେ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ୍ ନିମନ୍ତେ ୬+ ବର୍ଷ ବୟସ ଲାଗୁ କରାଯାଇଛି ଏବଂ ଏହି ପଲିସିକୁ ଚ୍ୟାଲେଞ୍ଜ୍ କରାଯାଇପାରିବ ନାହିଁ । ଏହା ପରେ ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ସୂଚନାଯୋଗ୍ୟ, ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ୍ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା କରାଯାଇଥିବା ୬ ବର୍ଷ ନ୍ୟୁନତମ ବୟସ ସୀମାକୁ ଠିକ୍ ବୋଲି ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking