ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ୍-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍, କରେସପେଣ୍ଡେଣ୍ଟ୍ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ଏହିସବୁ ପରୀକ୍ଷା ଲାଗି ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟର ଗୁଡ଼ିକୁ ପଠାଯିବ । ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି । ନୋଡାଲ୍ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏସ୍ଓପି ଜାରି କରାଯାଇଛି । ସୂଚନାଯୋଗ୍ୟ, ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ମାଟ୍ରିକ ପରୀକ୍ଷା ସରିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ ।
ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ଓଏମ୍ଆର୍ ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକ୍ଲେଟ୍ରେ ପରୀକ୍ଷାର୍ଥୀଙ୍କୁ ଲେଖିବାକୁ ହେବ । ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ ହେବ ।