ଭୁବନେଶ୍ୱର: ୮୦ହଜାର ଟଙ୍କା ଚୋରି କରିଥିଲି । ମୋର କରଜ ବହୁତ ଥିଲା । ନିଶା ଖାଇବା ପାଇଁ ବି ଟଙ୍କାଟେ ନାହିଁ । ତେଣୁ ଚୋରି ଟଙ୍କାରେ କିଛି କରଜ ସୁଝିଦେଇଛି । ଆଉ ନିଶା ବି ଖାଇଛି । ପୁଲିସ ହାତରେ ଧରାପଡ଼ିବା ପରେ ଜଣେ ଚୋର ତା’ ଭୁଲ୍ ସ୍ୱୀକାର କରିଛି । ଚୋରର ଏଭଳି କଥା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ଅଟୋ ଡିକିରୁ ଟଙ୍କା ଚୋରି କରିଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଭରତପୁର ଥାନା ଅନ୍ତର୍ଗତ ହରପାର୍ବତୀ ସାହିର ଲେନ-୬ରେ ରହୁଥିବା ନୟାଗଡ଼ ଜିଲ୍ଲା ନୂଆଗାଁର ଆକାଶ ନାଏକ (୨୪) । ତା’ ଠାରୁ ୪୩ହଜାର ଚୋରି ଟଙ୍କା ଜବତ କରାଯାଇଛି । ବାକି ୩୭ହଜାର ଟଙ୍କା ସେ ଋଣ ସୁଝିବା ଏବଂ ନିଶା ସେବନରେ ଖର୍ଚ୍ଚ କରିଦେଇଥିବା କହିଛି । ସମ୍ପୃକ୍ତ ଅପରାଧି ଜଣେ ପେସାଦାର ଅପରାଧି ଅଟେ । ତା’ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଭରତପୁର ଥାନାରେ ଏକ ଚୋରି ଜନିତ ମାମଲା ରହିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଗୋବିନ୍ଦପୁର ଜାଇଲୋ ଗ୍ରାମର ଅଶୋକ କୁମାର ଜେନା ଭରତପୁର ଅଞ୍ଚଳରେ ରୁହନ୍ତି । ଗତ ୧୭ ତାରିଖ ରାତିରେ ଅଶୋକ କାମ ସାରି ଆସି ଭରତପୁର ତାରିଣୀ ବଜାରରେ ଥିବା ଏକ ଲୁହାଗ୍ରୀଲ ଦୋକାନ ସମ୍ମୁଖରେ କିଛି ସମୟ ପାଇଁ ଗାଡି ରଖି ପରିବା କିଣିବାକୁ ଯାଇଥିଲେ । ପରିବା କିଣି ଅଟୋ ନିକଟକୁ ଫେରି ଦେଖିଲେ ଯେ, କେହି ଦୁବୃର୍ତ୍ତ ଅଟୋର ଡିକି ଭାଙ୍ଗିବା ସହ ସେଥିରେ ଥିବା ୮୦ହଜାର ଟଙ୍କା ଚୋରି କରିନେଇଛି । ଏ ନେଇ ଅଶୋକ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ବୁଧବାର ଗିରଫ କରିଥିଲା ।