ଭୁବନେଶ୍ୱର : ଛେଣ୍ଡିପଦା ସମେତ ସାରା ରାଜ୍ୟରେ ପ୍ରତିଦିନ ଅସହିଷ୍ଣୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପୋଲିସ ଓ ପ୍ରଶାସନ ଆଇନ ଅନୁସାରେ ନିରପେକ୍ଷତାର ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ । ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା କଥା କହି ଅନ୍ୟ ପକ୍ଷରେ ହିଂସା କରି ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରିଦେବାର ଅଲିଖିତ ଘୋଷଣାନାମା ପରି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି । ଅନୁଗୋଳ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଓ ଏଥିରେ ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଖବର ଜାଣି ମୁଁ ଦୁଃଖିତ ଓ ମର୍ମାହତ। ପଞ୍ଚାୟତ,ପୌର ନିର୍ବାଚନ ଓ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ,ଯାହା ଓଡିଶା ପାଇଁ ଚିନ୍ତାର ବିଷୟ।