22.1 C
Bhubaneswar
Saturday, January 25, 2025
Homeଦେଶ ବିଦେଶଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌: ରାସ୍ତାକୁ ଓହ୍ଲାଇବାକୁ ଦେଶବାସୀଙ୍କୁ ଇମ୍ରାନଙ୍କ ଆହ୍ୱାନ

ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌: ରାସ୍ତାକୁ ଓହ୍ଲାଇବାକୁ ଦେଶବାସୀଙ୍କୁ ଇମ୍ରାନଙ୍କ ଆହ୍ୱାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ଅର୍ଥାତ ରବିବାର ନ୍ୟାସନାଲ ଆସେମ୍ବ୍ଲିରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ଭୋଟଗ୍ରହଣ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇ ଆସି ତାଙ୍କୁ ସମର୍ଥନ ଜଣାଇବାକୁ ଇମ୍ରାନ ଶନିବାର ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ଗଣତାନ୍ତ୍ରିକ ସରକାରକୁ କ୍ଷମତାଚ୍ୟୁତ କରିବାକୁ ବିଦେଶୀ ଶକ୍ତିମାନେ ଷଡଯନ୍ତ୍ର ଚଳାଇଛନ୍ତି । ତେଣୁ ୨୦୧୮ରେ ଭୋଟ ଦେଇ ମୋତେ ପ୍ରଧାନମନ୍ତ୍ରୀ ଆସନରେ ଗାଦିସୀନ କରିଥିବା ଦେଶବାସୀ ଆଜି ଏହି ଘଡିସନ୍ଧି ମୁହୂର୍ତ୍ତରେ ରାସ୍ତାକୁ ଓହ୍ଲାଇ ଆସି ଏହି ପ୍ରସ୍ତାବକୁ ଦୃଢ ବିରୋଧ କରିବାର ସମୟ ଆସିଛି ବୋଲି ଇମ୍ରାନ୍ କହିଛନ୍ତି । ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବର ମୁକାବିଲା କରିବାକୁ ମୁଁ ରଣନୀତି ପ୍ରସ୍ତୁତ କରିସାରିଛି । ଏ ସମ୍ପର୍କରେ ଆପଣମାନେ (ଦେଶବାସୀ) ପ୍ରମାଣ ପାଇପାରିବେ ବୋଲି ସେ କହିଛନ୍ତି । ଯଦି ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ଏଭଳି ରାଜନୈତିକ ସଙ୍କଟ ଉପୁଜିଥାନ୍ତା, ତେବେ ସେହି ଦେଶର ନାଗରିକ ରାସ୍ତାକୁ ଓହ୍ଲାଇ ଆସି ଚକ୍ରାନ୍ତକାରୀ ଶକ୍ତିଙ୍କୁ ଉଚିତ ଜବାବ ଦେଇଥାନ୍ତେ । ତେଣୁ ପାକିସ୍ତାନର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆପଣମାନେ ବିବେକ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଇମ୍ରାନ୍ ଆଶାବ୍ୟକ୍ତ କରିଛନ୍ତି । ଯଦି ଲକ୍ଷ ଲକ୍ଷ ସଂଖ୍ୟାରେ ପାକିସ୍ତାନବାସୀ ରାସ୍ତାକୁ ଓହ୍ଲାଇବେ, ତାହାହେଲେ ଦେଶ ତଥା ନାଗରିକଙ୍କ ଭବିଷ୍ୟତ ନିଶ୍ଚିତଭାବେ ସୁରକ୍ଷିତ ରହିବ ବୋଲି ମଧ୍ୟ ସେ କହିଛନ୍ତି । ଗତ ସପ୍ତାହରେ ମେଣ୍ଟର ଦୁଇଟି ସହଯୋଗୀ ଦଳ ଦୂରେଇ ଯାଇଥିବାରୁ ୩୨୪ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ଇମ୍ରାନ ସରକାର ସଂଖ୍ୟାଗରିଷ୍ଠତା ହରାଇ ସାରିଛନ୍ତି । ଜଣେ ସଫଳ କ୍ରିକେଟ ଅଧିନାୟକଭାବେ ଇମ୍ରାନ୍ ୧୯୯୨ରେ ପାକିସ୍ତାନକୁ ବିଶ୍ୱକପ ଚମ୍ପିଆନ କରାଇପାରିଥିଲେ । ନିଜର କ୍ରିକେଟ ଦକ୍ଷତାକୁ ରାଜନୀତି ମଇଦାନରେ ପ୍ରତିପାଦନ କରିବାକୁ ସକ୍ଷମ ବୋଲି ଇମ୍ରାନ କହିଛନ୍ତି । ଯେପରି ଶେଷ ବଲ ବୋଲିଂ କରାନଯିବା ପର୍ଯ୍ୟନ୍ତ କ୍ରିକେଟ ମ୍ୟାଚ ଅନିଶ୍ଚିତତା ମଧ୍ୟରେ ଗତି କରିଥାଏ, ଠିକ୍ ସେହିଭଳି ଅନାସ୍ଥା ଭୋଟ ଶେଷ ନହେବା ପର୍ଯ୍ୟନ୍ତ ଇମ୍ରାନ୍ ସରକାରର ପତନ ଘଟିଛି ବୋଲି ଭାବିବା ମୁର୍ଖାମୀ ବୋଲି ଇମ୍ରାନ୍ କହିଛନ୍ତି । ଶେଷ ବଲ ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ ଏବଂ ଦେଶବାସୀ ତାଙ୍କର ରାଜନୈତିକ କୁଶଳତାର ପ୍ରମାଣ ନିଶ୍ଚିତ ପାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସଂଖ୍ୟାଗରିଷ୍ଠତା ହରାଇଥିବା ସତ୍ତ୍ୱେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ କିମ୍ବା ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଇମ୍ରାନ୍ ରୋକ୍‌ଠୋକ୍ ମନା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking