କାବୁଲ: ଆଫ୍ଗାନିସ୍ତାନରେ ଗତବର୍ଷ ଅଗଷ୍ଟରେ କ୍ଷମତା ଅକ୍ତିଆର କରିଥିବା ତାଲିବାନ୍ ସରକାର କିଛିଦିନର ବ୍ୟବଧାନ ପରେ ପୁଣି ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି । ମୌଳବାଦୀ ଚିନ୍ତାଧାରାକୁ ଆପଣେଇଥିବା ତାଲିବାନ୍ ସରକାର ସୋମବାର ଆଉ ଏକ ନୂଆ ନିୟମ ପ୍ରଚଳନ କରିଛନ୍ତି । ଯେଉଁ ସରକାରୀ କର୍ମଚାରୀ ଦାଢି ରଖିନଥିବେ, ସେମାନଙ୍କୁ କାର୍ୟ୍ୟାଳୟରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ପବ୍ଲିକ୍ ମୋରାଲ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଏପରିକି ଏହି କର୍ମଚାରୀମାନେ ପାରମ୍ପରିକ ଆଫ୍ଗାନ ପୋଷାକ ପରିଧାନ କରିବା ସହ ମୁଣ୍ଡରେ ପଗଡି ବାନ୍ଧିବେ ବୋଲି ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ଏଭଳି ନିୟମକୁ ଉଲ୍ଲଂଘନ କଲେ, ସଂପୃକ୍ତ କର୍ମଚାରୀଙ୍କୁ ପ୍ରଥମେ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ଏଭଳି ତ୍ରୁଟିର ପୁନରାବୃତ୍ତି ଘଟିଲେ ସେମାନଙ୍କୁ ଚାକିରୀରୁ ବିଦା କରାଯିବ ବୋଲି ଜଣାପଡିଛି ।