24.5 C
Bhubaneswar
Thursday, January 16, 2025
Homeଖେଳଏସିଆନ୍ ଗେମ୍ସ ପାଇଁ ଆର୍ଚେରୀ ଟିମ୍ ଘୋଷିତ: ଦୀପିକା ଓ ଅତନୁ ବାଦ୍‌, ନୀରଜ ସାମିଲ୍

ଏସିଆନ୍ ଗେମ୍ସ ପାଇଁ ଆର୍ଚେରୀ ଟିମ୍ ଘୋଷିତ: ଦୀପିକା ଓ ଅତନୁ ବାଦ୍‌, ନୀରଜ ସାମିଲ୍

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ଚୀନ୍‌ର ହାଙ୍ଗଝୌଠାରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ସୋମବାର ପୁରୁଷ ଓ ମହିଳା ଆର୍ଚେରୀ ଟିମ୍ ଘୋଷଣା ହୋଇଥିବା ବେଳେ ଦେଶର ଦୁଇ ପ୍ରମୁଖ ପ୍ରତିଯୋଗୀ ଦୀପିକା କୁମାରୀ ଓ ଅତନୁ ଦାସ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ହରିଆଣାର ସୋନିପତ୍‌ଠାରେ ସାଇ ପକ୍ଷରୁ ଅନୁଷ୍ଠିତ ସିଲେକ୍ସନ୍ ଟ୍ରାଏଲ୍‌ରେ ଉଭୟ ଦୁର୍ବଳ ପ୍ରଦର୍ଶନ କରିଥିବାରୁ ଏସିଆନ୍ ଗେମ୍ସ ପାଇଁ ଘୋଷିତ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ବିଶ୍ୱର ଦୁଇ ନମ୍ବର ପ୍ରତିଯୋଗୀ ତଥା ତିନି ଥରର ଅଲିମ୍ପିଆନ୍ ଦୀପିକା ରବିବାର ସିଲେକ୍ସନ୍ ଟ୍ରାଏଲ୍‌ରେ ରାଉଣ୍ଡ୍ ରବିନ୍ ଭିତ୍ତିରେ ଅନୁଷ୍ଠିତ ତିନିଟି ମ୍ୟାଚ୍‌ରୁ ୨ଟିରେ ପରାସ୍ତ ହୋଇଥିଲେ । ପୂର୍ବରୁ ଶନିବାର ଦୀପିକା ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏଲିମିନେସନ ରାଉଣ୍ଡ୍‌ରେ ମଧ୍ୟ ପଞ୍ଚମ ସ୍ଥାନରେ ରହିଥିଲେ । ଏଥିସହ ଦୀପିକା ଦୀର୍ଘ ୧୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେ ନାହିଁ । ସେ ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ୨୦୧୦, ୨୦୧୪ ଓ ୨୦୧୮ ଏସିଆନ୍ ଗେମ୍ସରେ ଭାଗ ନେଇଥିଲେ । ୧୨ ବର୍ଷ ତଳେ ସେ ଗୁଆଙ୍ଗଝୌଠାରେ ଅନୁଷ୍ଠିତ ସଂସ୍କରଣରେ ବ୍ରୋଞ୍ଜ୍ ପଦକ ପାଇଥିଲେ । ମହିଳା ଦଳରେ ରିଧି, କୋମଲକା ବାଗି, ଅଙ୍କିତା ଭକତ ଓ ସିମରନ୍‌ଜିତ୍ କୌର୍ ସ୍ଥାନ ପାଇଛନ୍ତି । ଅନ୍ୟପକ୍ଷରେ ପୁରୁଷ ଦଳରେ ଉତ୍ତର ପ୍ରଦେଶର ଯୁବ ଆର୍ଚର୍ ନୀରଜ ଚୌହାନ୍ ସାମିଲ୍ ହୋଇଛନ୍ତି । ଗତ ୨୦୨୦ କୋଭିଡ୍ ଲକ୍‌ଡାଉନ୍ ସମୟରେ ନୀରଜଙ୍କ ପିତା ତାଙ୍କ ଚାକିରି ହରାଇବା ଫଳରେ ତାଙ୍କୁ ଅଭ୍ୟାସ ପାଇଁ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ହେବାପରେ ଭାରତୀୟ ଆର୍ଚେରୀ ସଂଘ (ଏଏଆଇ)ର ସଭାପତି ଅର୍ଜୁନ ମୁଣ୍ଡା ତତ୍କାଳୀନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ସହଯୋଗ କରିବା ସକାଶେ ନିବେଦନ କରିଥିଲେ । ତୁରନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ନୀରଜ ଓ ତାଙ୍କ ବକ୍ସର୍ ଭାଇ ସୁନୀଲଙ୍କ ସକାଶେ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିଲା । ଏହାଛଡ଼ା ଦୀର୍ଘଦିନ ପରେ ଭେଟେରାନ୍ ଆର୍ଚର୍ ତଥା ଅଲିମ୍ପିଆନ୍ ଜୟନ୍ତ ତାଲୁକଦାର ମଧ୍ୟ ଭାରତୀୟ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହ ଜାତୀୟ ଚାମ୍ପିଅନ୍ ସଚିନ୍ ଗୁପ୍ତା ଓ ଟ୍ରାଏଲ୍‌ରେ ଏକ ନମ୍ବର ସ୍ଥାନରେ ଥିବା ତରୁଣଦୀପ ରାଏ ପୁରୁଷ ଦଳରେ ସ୍ଥାନ ପାଇଛନ୍ତି । ତେବେ ୨୯ ବର୍ଷୀୟ ଅତନୁ ଗତଽର୍ଷ ବିଶ୍ୱକପ୍‌ରେ ସ୍ୱର୍ଣ୍ଣପଦକ ଜିତିବା ପରଠାରୁ ସଂଘର୍ଷ କରିଆସୁଥିବାରୁ ଏସିଆନ୍ ଗେମ୍ସରୁ ବଞ୍ଚିତ ହୋଇଛନ୍ତି । ବିଶ୍ୱର ୯ ନମ୍ବର ଖେଳାଳି ଅତନୁ ଶନିବାର ସିଲେକ୍ସନ୍ ଟ୍ରାଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରିକ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ପ୍ରବୀଣ ଯାଦବଙ୍କଠାରୁ ପରାସ୍ତ ହୋଇଥିଲେ । ଶୀର୍ଷ ୮ ପ୍ରତିଯୋଗୀଙ୍କ ମଧ୍ୟରେ ରହି ନପାରିବାରୁ ଚୟନକର୍ତ୍ତା ଅତନୁଙ୍କୁ ମନୋନୀତ କରିନାହାନ୍ତି । ସିଲେକ୍ସନ୍ ଟ୍ରାଏଲ୍‌ରେ ଶୀର୍ଷ ୪ ପ୍ରତିଯୋଗୀ ଏସିଆନ୍ ଗେମ୍ସରେ ଭାଗନେବା ସହ ଏହା ପୂର୍ବରୁ ଏପ୍ରିଲ୍ ୧୭ରୁ ୨୪ ପର୍ଯ୍ୟନ୍ତ ଅନ୍ତଲ୍ୟଠାରେ, ମେ’ ୧୫ରୁ ୨୨ ପର୍ଯ୍ୟନ୍ତ ଶାଙ୍ଘାଇଠାରେ ଓ ଜୁନ୍ ୧୯ରୁ ୨୬ ପର୍ଯ୍ୟନ୍ତ ପ୍ୟାରିସ୍‌ଠାରେ ହେବାକୁ ଥିବା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବେ । ସେହିପରି ଶୀର୍ଷ ୫ରୁ ଅଷ୍ଟମ ସ୍ଥାନରେ ଥିବା ପ୍ରତିଯୋଗୀମାନେ ଆସନ୍ତା ଜୁଲାଇ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଡେଲିନ୍‌ରେ ହେବାକୁ ଥିବା ବିଶ୍ୱକପ୍‌ରେ ଭାଗନେବେ ବୋଲି ଏଏଆଇ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking