ଢେଙ୍କାନାଳ : ଗାଁର ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ । ଭଲ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୋବାଇଲ ନେଟୱାର୍କ ଭଳି ସୁବିଧା ନଥିବାରୁ ଲୋକେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ହେବ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ଦାବି ପୂରଣ ନହେବାରୁ ପାକଟମୁଣ୍ଡା ଗାଁର ୬ ନମ୍ବର ବୁଥର ୩୩୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ଅନ୍ୟପଟେ ପୋଲିଂ ପାର୍ଟି ବରିପଦର ଗ୍ରାମରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଲୋକେ ମାନିବାକୁ ନାରାଜ । ଏମିତିକି ବିଡ଼ିଓ ସେଠାକୁ ଯାଇ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ସେପଟେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ତେବେ କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।