ମସ୍କଟ୍ : ମସ୍କଟରେ ଚାଲିଥିବା ମହିଳା ଏସିଆ କପ୍ ହକିରେ ଭାରତ ସେମିଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ଲାଭ କରିଛି । ପ୍ରତିଯୋଗିତାର ଶେଷ ଲିଗ୍ ମ୍ୟାଚ୍ରେ ସୋମବାର ଭାରତ ପ୍ରତିପକ୍ଷ ସିଙ୍ଗାପୁର ବିପକ୍ଷରେ ୯-୧ ଗୋଲ୍ରେ ବିଜୟୀ ହେବା ପରେ ଏହି ପର୍ଯ୍ୟାୟରେ ପ୍ରବେଶ କରିଛି । ଏଥିସହ ଦଳ ଚଳିତ ବର୍ଷ ସ୍ପେନ୍ ଓ ନେଦରଲାଣ୍ଡ୍ସରେ ହେବାକୁ ଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ଅଂଶଗ୍ରହଣ କରିବା ସକାଶେ ସିଧାସଳଖ ଯୋଗ୍ୟତା ହାସଲ କରିଛି । ଗ୍ରୁପ୍-ଏ’ରେ ସାମିଲ୍ ଥିବା ଭାରତ ଲିଗ୍ ପର୍ଯ୍ୟାୟରେ ତା ‘ର ପ୍ରଥମ ମୁକାବିଲାରେ ମାଲେସିଆକୁ ୯-୦ରେ ପରାସ୍ତ କରିଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍ରେ ଜାପାନଠାରୁ ୦-୨ରେ ପରାସ୍ତ ହୋଇଥିଲା ।
କିନ୍ତୁ ଶେଷ ଲିଗ୍ ମ୍ୟାଚ୍ରେ ଦଳର ବୃହତ୍ ବିଜୟରେ ଗୁରଜିତ୍ କୌର୍ଙ୍କ ହ୍ୟାଟ୍ରିକ୍ ଗୋଲ୍ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ସେ ଅଷ୍ଟମ, ୩୭ତମ ଓ ୪୮ତମ ମିନିଟ୍ରେ ଏହି ଗୋଲ୍ ଦେଇଥିବା ବେଳେ ମୋନିକା ଓ ଜ୍ୟୋତି ଯଥାକ୍ରମେ ଷଷ୍ଠ ଓ ସପ୍ତଦଶ ଏବଂ ୪୩ତମ ଓ ୫୮ତମ ମିନିଟ୍ରେ ଗୋଲ୍ ସ୍କୋର୍ କରିଥିଲେ । ଆହୁରି ବନ୍ଦନା କଟାରିୟା ଅଷ୍ଟମ ଓ ଓଡ଼ିଆ ଖେଳାଳି ମାରିଆନା କୁଜୁର୍ ଦଶମ ମିନିଟ୍ରେ ଗୋଲ୍ ଦେଇ ସ୍କୋର୍ଶିଟ୍ରେ ନିଜ ନାମ ଦରଜ କରିଥିଲେ । ଅନ୍ୟପକ୍ଷରେ ସିଙ୍ଗାପୁର ପକ୍ଷରୁ ଏକମାତ୍ର ଗୋଲ୍ଟି ୪୩ତମ ମିନିଟ୍ରେ ଲି ମିନ୍ ଦେଇଥିଲେ । ସେମିଫାଇନାଲ୍ରେ ଭାରତର ମୁକାବିଲା ଆସନ୍ତା ବୁଧବାର କୋରିଆ ବିପକ୍ଷରେ ହେବ ।