ଫୁଲବାଣୀ: ଦୀର୍ଘ ୧୫ଦିନ ବ୍ୟାପି କାର୍ଯ୍ୟ ବନ୍ଦକରି ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଧାରଣା ଦେବା ପରେ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ସ୍ୱାଇଁ ଦୁଇମାସ ଭିତରେ ଏଠାରୁ ଚାଲିଯାଇଥିବା ୨ଟି ବ୍ଲକ୍କୁ ଫେରାଇ ଆଣିବା ପାଇ ଆମେ ଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଲିଥିବା ଧାରଣା ଆଜି ହଟିଛି । ସୂଚନା ଅନୁସାରେ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଫୁଲବାଣୀ ଏଫସିଆଇ ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଆଜକୁ ୧୫ଦିନ ହେଲା ଦିଆଯାଇଥିଲା । ଦୀର୍ଘ ୧୨ଦିନ ଧାରଣାର ଅତିକ୍ରାନ୍ତ ପରେ ଶେଷରେ ଏଫସିଆଇ ସଂଘ ପକ୍ଷରୁ ସମସ୍ତ ଶ୍ରମିକଙ୍କ ସହମତି କ୍ରମେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ସଂଘ କହିବାନୁଯାୟୀ ଶ୍ରମିକମାନେ ବର୍ଷବର୍ଷ ଧରି ଏହି ସରକାରୀ ଗୋଦାମରେ କାର୍ଯ୍ୟରତ । ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ସମଗ୍ର ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏହି ଶ୍ରମିକ ମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ସଦୃଶ୍ୟ କାର୍ଯ୍ୟ କରି ଆସୁଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିନରେ ପରିଚାଳିତ ତିନୋଟି ଗୋଦାମ ରହିଛି । ଏଥି ମଧ୍ୟରୁ ଦୁଇଟି ନିଜସ୍ୱ ହୋଇଥିବା ବେଳେ ଅନ୍ୟଟି ବେସରକାରୀ ଠିକାଦାରଙ୍କ ଦ୍ୱାରା ପରିଚାଳିତ । ବିଗତ ଦିନରେ ବିଭିନ୍ନ ଆଳ ଦେଖାଇ ଶ୍ରମିକ ମାନଙ୍କ ଠାରୁ ୬ଗୋଟି ଚାଉଳ ଉଠାଣ କ୍ଷମତା ବାହାର କରିଦିଆଯାଇଥିଲା । ଥିବା ୨ଟି ସରକାରୀ ଗୋଦାମ ଅଧିନରେ ୩୭ରୁ ଉର୍ଦ୍ଧ ପରିବାରର ୨୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ନିର୍ଭର କରି ପେଟ ପୋଷଣ କରୁଥିଲେ । ଚଳିତ ବର୍ଷ ଯୋଗାଣ ବିଭାଗ ଟେଣ୍ଡରରେ ଦୁଇଟି ବ୍ଲକ୍ ଟିକାବାଲି ଓ ଉଦୟଗିରିର ଚାଉଳ ଉଠାଣ କ୍ଷମତା ଅପସାରଣ କରାଯାଇଛି । ବେସରକାରୀ ଗୋଦାମକୁ ଅହେତୁକ ଅନୁକମ୍ପା ଦେଖାଇ ବିଭାଗ ଦୁଇଶହ ଲୋକଙ୍କ ଜିବନ ସହ ଖେଳ ଖେଳୁଛନ୍ତି ବୋଲି ଶ୍ରମିକ ସଂଘ ଲିଖିତ ଆକାରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ବୋଲି ସମ୍ପାଦକ ଦଶରଥ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଆଜି ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଶ୍ରମିକଙ୍କ ପାଖରେ ପହଞ୍ôଚ ବୁଝାସୁଝା କରିବା ପରେ ସିଏସଓଙ୍କୁ ୪ଟି ବ୍ଲକ୍ର ସମସ୍ତ କାମ ଏହି ଧାରଣାଗତ ଶ୍ରମିକମାନଙ୍କୁ ଦିଆଯାଉ ଏବଂ ଯାଇଥିବା ୨ଟି ବ୍ଲକ୍ ଫେରାଇ ଆଣିବାପାଇଁ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇବା ସହିତ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ । ଶ୍ରମିକମାନେ ସିଏସଓ ଅନାଥ ସ୍ୱାଇଁ ଏବଂ ଏସଡିପିଓ ମହେନ୍ଦନାଥ ମୁର୍ମୁଙ୍କ ପ୍ରତିଶୃତି ପ୍ରକାରେ ଧାରଣାରୁ ହଟିଥିବାର ପ୍ରକାଶ କରିଛନ୍ତି ।