ନୂଆଦିଲ୍ଲୀ : ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଫଳରେ ଟିକାଦ୍ୱୟ କେବଳ ସରକାରୀ ଡାକ୍ତରଖାନା ଓ ଘରୋଇ ହସ୍ପିଟାଲ୍ରେ ଉପଲବ୍ଧ ହେଉଥିଲା । ଟିକା ନିର୍ମାତା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଓ ଭାରତ ବାୟୋଟେକ୍ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ନିକଟରେ ଏ ନେଇ ପୂର୍ବରୁ ଆବେଦନ ଦାଖଲ କରିଥିଲେ ।
ଗତ ଅକ୍ଟୋବର ୨୫ରେ ଏସ୍ଆଇଆଇ ତରଫରୁ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଆବେଦନ ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ଡିସିଜିଆଇ ଏ ସଂକ୍ରାନ୍ତରେ ଅଧିକ ସୂଚନା ମାଗିଥିଲା । ଦେଶରେ ଏ ପର୍ଯ୍ୟନ୍ତ ଦେଢ଼ଶହ କୋଟିରୁ ଊର୍ଦ୍ଧ୍ୱ ଟିକା ଦିଆଯାଇ ସାରିଲାଣି । ଏହା ହିଁ ଟିକାର ପ୍ରଭାବ ସମ୍ପର୍କିତ ଉପଯୁକ୍ତ ପ୍ରମାଣପତ୍ର ବୋଲି କମ୍ପାନୀ ତରଫରୁ ଯୁକ୍ତି କରାଯାଇଥିଲା । ଡିସିଜିଆଇର ବିଶେଷଜ୍ଞ କମିଟି ଆବେଦନର ସମୀକ୍ଷା କରି ଏହାକୁ ଅନୁମୋଦନ କରିଛନ୍ତି ।