କାବୁଲ: ଚୀନ୍ରେ ଅବସ୍ଥାପିତ ଆଫ୍ଗାନିସ୍ତାନ ରାଷ୍ଟ୍ରଦୂତ ଜାଭେଦ ଅହମ୍ମଦ କ୍ୱାଇମ୍ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତିି । ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ସଂଗଠନ ଆଫ୍ଗାନିସ୍ତାନ ଦଖଲ କରିବାପରଠାରୁ ତାଙ୍କୁ କିମ୍ବା ବେଜିଂସ୍ଥିତ ଆଫ୍ଗାନ ଦୂତାବାସର କୌଣସି କର୍ମଚାରୀଙ୍କୁ ଦରମା ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ନିଜେ ବେତନ ପାଇନଥିବାବେଳେ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟରେ ଗଚ୍ଛିତ ଥିବା ଅର୍ଥ ଉଠାଇ ଅନ୍ୟ କର୍ମଚାରୀଙ୍କ ପାଉଣା ଦେଇଥିବା ସେ କହିଛନ୍ତି । ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ଆଉ ଟଙ୍କା ନଥିବାରୁ ଦୂତାବାସ କର୍ମଚାରୀମାନେ ଚାକିରି ଛାଡିଦେଇଥିବା ସେ କହିଛନ୍ତି । ଜାଭେଦ ଏହି ପ୍ରସଙ୍ଗରେ ଚଳିତମାସ ୧ରେ ଆଫ୍ଗାନିସ୍ତାନ ବିଦେଶ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ ସୁଦ୍ଧା ଜବାବ ମିଳିନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।