ନୂଆଦିଲ୍ଲୀ : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କ୍ୟାପଟେନ ବରୁଣ ସିଂହ ଗତ କଲି ଦେହାନ୍ତ ହୋଇଥିଲା । ରାଜକୀୟ ସମ୍ମାନର ସହ ଶହୀଦଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ କରାଯିବ ନେଇ ସୂଚନା ମିଳିଛି । ଅନେକ ଦିନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିକିତ୍ସା ରତ ଥିବାବେଳେ ସେ ପ୍ରାଣ ତ୍ୟାଗ କରିଥିଲେ । ଶହୀଦଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି, ଡିସେମ୍ବର ୧୭ ରେ ଭୋପାଳରେ କରାଯିବ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅମର ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂହ ଜୀଙ୍କ ଚରଣରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ । ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ । କିନ୍ତୁ ଏବେ ସେ ଆମ ଗହଣରେ ନାହାଁନ୍ତି । ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ । ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର । ପ୍ରତ୍ୟେକ ଭାରତବାସୀ ତାଙ୍କ ପରିବାର ସହ ଛିଡା ହୋଇଛନ୍ତି । ବୀର ଯୋଦ୍ଧାଙ୍କୁ କେବଳ ସମ୍ମାନ ସହ ବିଦା କରାଯିବନି ବରଂ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପରିବାର ସହ ଆଲୋଚନା କରି ପ୍ରତିମା ସ୍ଥାପନା ପାଇଁ ବିଚାର କରାଯିବ । ସୂଚନା ଯୋଗ୍ୟଯେ ବରୁଣ ସିଂହଙ୍କ ପାର୍ଥିବ ଶରୀର ଅପରାହ୍ନରେ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଲ ଅଣାଯିବ । ଏୟାରପୋର୍ଟ ରୋଡ଼ ସ୍ଥିତ ଇନ୍ନର କୋର୍ଟ କଲୋନୀ ନିଆଯିବ । ସେଠାରେ କ୍ୟାପଟେନଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣଲ କେପି ସିଂହ ରୁହନ୍ତି । ପାର୍ଥିବ ଶରୀର ସେଠାରେ ଅଧା ଘଣ୍ଟା ରଖାଯିବ । ପରିବାର ସଦସ୍ୟଙ୍କ ଶେଷ ଦର୍ଶନ ପରେ ପାର୍ଥିବ ଶରୀର ଇନ୍ଦ୍ରପ୍ରସ୍ଥ ପାର୍କ ନିଆଯିବ । ସେନା ପ୍ରୋଟୋକଲ ଅନୁଯାୟୀ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟା ରୁ ୧୨ଟା ମଧ୍ୟରେ ସମାପନ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି ।