ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକାର ସଂଶୋଧନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି । ଅଫ୍ ଲାଇନ୍ରେ ସଂଶୋଧନ ହେଉଥିଲେ ହେଁ ଅନ୍ଲାଇନ୍ ସଂଶୋଧନକୁ ଆୟୋଗ ଅଧିକ ଗୁରୁତ୍ୱ ଦେଇଛନ୍ତି । ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍ ନଭେମ୍ବର ୭ ଓ ନଭେମ୍ବର ୨୧ରେ ସବୁ ବୁଥ୍ରେ ‘ସ୍ୱତନ୍ତ୍ର ଅଭିଯାନ’ ଆରମ୍ଭ ହେବ । ବୁଥ୍ସ୍ତରୀୟ ଅଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିବେ । ଡିସେମ୍ବର ୨୦ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଫଏସଲା କରାଯିବ ।
୫ ଜାନୁଆରୀ ୨୦୨୨ରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ । ଏହି ସୁଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ । ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇଓ ଶ୍ରୀ ଲୋହାନୀ କହିଛନ୍ତି ଯେ ୨୦୨୨ ଜାନୁଆରୀ ୧କୁ ଯୋଗ୍ୟତାଭିତ୍ତିକ ତାରିଖ ଭାବେ ଗ୍ରହଣ କରାଯିବ । ୧ ନଭେମ୍ବର ୨୦୨୧କୁ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟ୍ ଗଣତି କେନ୍ଦ୍ର ସହ ୫୮ ଉପଜିଲ୍ଲାପାଳ ତଥା ଭୋଟ୍ ପଞ୍ଜୀକରଣ ଅଧିକାରୀ ଓ ୩୦ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ଡ୍ରାପ୍ଟ ଭୋଟର୍’ ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ତଥା ଭୋଟ୍ ପଞ୍ଜୀକରଣ ଅଧିକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ‘ଡ୍ରାପ୍ଟ ଭୋଟର୍’ ତାଲିକାର କପି ପ୍ରଦାନ କରିବେ ।
ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର୍ ତାଲିକାର କପି ନେଇପାରିବେ । ଉଚିତ୍ ମୂଲ୍ୟ ଦେଲେ ଏହାର ସଫଟ୍ କପି ମଧ୍ୟ ପିଡିଏଫ୍ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିପାରିବ । ଭୋଟର୍ମାନେ ବି ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ରେ ଦେଖିପାରିବେ । ଶ୍ରୀ ଲୋହାନି କହିଛନ୍ତି ଯେ ଭାରତ ନିର୍ବାଚନ ଆୟୋଗ ଅନ୍ଲାଇନ୍ ଜରିଆରେ ଏକ ନାଗରିକ ଅନୁକୂଳ ‘ଭୋଟର୍ ହେଲ୍ପଲାଇନ’ ଆପ୍ ପ୍ରଚଳନ କରିଛନ୍ତି । ଏହି ଆପ୍ ଆନ୍ଡ୍ରଏଡ୍ ମୋବାଇଲରେ ପ୍ଲେଷ୍ଟୋରରୁ ଓ ଆଇଓଏସ୍, ଆପଲ୍ ଆଇ ଫୋନ୍ର ଆପ୍ ଷ୍ଟୋରରୁ ଡାଉନ୍ଲୋଡ଼ କରିପାରିବେ ।
ଭୋଟର୍ ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର୍ ତାଲିକାରୁ ନାମ ବାଦ୍ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର୍ ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ । ସେହିପରି ଭୋଟର କାର୍ଡ ବି ଅଫ୍ ଲାଇନରେ ବି ସଂଶୋଧନ ବ୍ୟବସ୍ଥା ରହିଛି । ଭୋଟର୍ ତାଲିକାରେ ମତଦାତ୍ତା ନିଜର ନାମ ଯୋଗ ବା ବାଦ୍ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ୍ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇପାରିବେ । ବୁଥ୍ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍ସ୍ତରୀୟ ଅଧିକାରୀ ଅର୍ଥାତ ଶିକ୍ଷକ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସଂପର୍କରେ ନଭେମ୍ବର ୧ଠାରୁ ନଭେମ୍ବର ୩୦ ମଧ୍ୟରେ ଜଣାଇପାରିବେ ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିିଛନ୍ତି ଯେ ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍ ଡାଉନ୍ଲୋଡ୍ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ୍ ବାସସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ୍, ଟେଲିଫୋନ୍ ବିଲ୍,ଜମିଜମା ଦସ୍ତାବିଜ୍ର ସ୍କାନ୍କପି ଅପ୍ଲୋଡ୍ କରିବାକୁ ହେବ । ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର, ପାସ୍ପୋର୍ଟ, ପ୍ୟାନ୍କାର୍ଡ, ମାଟ୍ରିକ୍ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସର ସ୍କାନ୍ କପି ସହ ପାସ୍ପୋର୍ଟ ସାଇଜ୍ ଫଟୋ ଅପ୍ଲୋଡ୍ କରିବାକୁ ହେବ । ଭୋଟରମାନେ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ ।
ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟିଶୂନ୍ୟ ହୋଇପାରିବ । ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍ ନଭେମ୍ବର ୭ ଓ ନଭେମ୍ବର ୨୧ରେ ସବୁ ବୁଥ୍ରେ ‘ସ୍ୱତନ୍ତ୍ର ଅଭିଯାନ’କୁ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ରୋଲ୍ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ଏମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ ।
ଜିଲ୍ଲାସ୍ତରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ କରାଯାଇ ବୁଥ୍ସ୍ତରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ସହାୟତା ନିଆଯିବ । କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ିବା ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ଭୋଟ୍ ପଞ୍ଜୀକରଣ ଅଧିକାରୀଙ୍କୁ ସହାୟତା କରିବେ ବୋଲି ସିଇଓ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ମତଦାତାଙ୍କ ଘରକୁ ଭୋଟ୍ ପରିଚୟ ପତ୍ର ସ୍ପିଡ୍ପୋଷ୍ଟ ମାଧ୍ୟମରେ ପଠାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିନିମନ୍ତେ ଫର୍ମ ପୂରଣ ସମୟରେ ସଠିକ୍ ଡାକ ଠିକଣା ସହ ଏକକ ମୋବାଇଲ୍ ନମ୍ବର ଦେବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।