କେରଳ: ଗତ ତିନିଦିନ ହେବ କେରଳରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହୋଇଛି । ଏହାଦ୍ୱାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ବି ସୂଚନା ରହିଛି । ଏହାରି ଭିତରେ ବିବାହ ପାଇଁ ବର-ବଧୂ ଭୋଜିରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ମଣ୍ଡପରେ ପହଞ୍ଚିଥିବାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଆକାଶ ଓ ଐଶ୍ୱର୍ଯ୍ୟା ପେସାରେ ଜଣେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଦୁହେଁ କେରଳରେ ବସବାସ କରନ୍ତି । ନିକଟରେ ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା । କିନ୍ତୁ କେରଳରେ ହୋଇଥିବା ପ୍ରବଳ ବର୍ଷା ହେତୁ ସବୁଆଡେ ପାଣି ଭରି ଯାଇଥିଲା । ଏଭଳି ପରିସ୍ଥିତିରେ ଦୁହେଁ ନିଜ ବିବାହକୁ ସ୍ଥଗିତ ନରଖି ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଆକାଶ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା ।
ନିଜର ବିବାହକୁ ନେଇ ନବଦମ୍ପତ୍ତି କହିଛନ୍ତି, କରୋନା ହେତୁ ସେମାନେ ବହୁତ କମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ତାଙ୍କର ବିବାହ ତାରିଖ ଓ ସମୟ ସ୍ଥିର ହୋଇଥିଲା । ଏହା ଏକ ଶୁଭ କାମ ଥିବାରୁ ଏଥିରେ ବିଳମ୍ବ କରିବାର ନଥିଲା । ମନ୍ଦିର ଚାରିଆଡେ ପାଣି ଭରି ଯାଇଥିବାରୁ ଆମେ ଦୁହେଁ ଏଭଳି ହଣ୍ଡାରେ ବସି ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲୁ ।