କାବୁଲ: ଦୀର୍ଘ କୋଡିଏ ବର୍ଷ ପରେ ଆଫଗାନିସ୍ତାନ ପୁଣି ଥରେ ତାଲିବାନ ନିୟନ୍ତ୍ରଣକୁ ଆସିଛି । ବିଶ୍ୱ ସମୁଦାୟ ତାଲିବାନକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ସୁଦ୍ଧା ଏହି ସଂଗଠନ ଯେ ଆଗାମୀ କିଛି ବର୍ଷ ଶାସନ କ୍ଷମତାରେ ରହିବ, ଏଥିରେ ଦ୍ୱିମତ ନାହିଁ । ରାଜଧାନୀ କାବୁଲ ଅକ୍ତିଆର କରିବାର ମାତ୍ର କିଛି ଦିନ ଅତିକ୍ରାନ୍ତ ହୋଇଥିବାବେଳେ ସରକାର ଗଠନ ନେଇ ତାଲିବାନ ଶିବିର ତତ୍ପର ହୋଇଉଠିଛି। କିଏ ରାଷ୍ଟ୍ରପତି ହେବ, ସରକାରର ରୂପରେଖ କ’ଣ ହେବ, ନୂଆ ସରକାରଙ୍କ ନୀତି କ’ଣ ହେବ, ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଲିବାନ ସଂଗଠନର ୭ ଜଣ ତୁଙ୍ଗ ନେତା କ୍ଷମତାର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଥିବା ଜଣାପଡିଛି । ଏହି ସପ୍ତରଥୀଙ୍କ ହାତରେ ବର୍ତ୍ତମାନ ଶାସନ ଡୋରି ଦେଖିବାକୁ ମିଳିବ। ୨୦୦୧ରେ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ପଦାର୍ପଣ ପରଠାରୁ ତାଲିବାନ ସଂଗଠନର ନେତାମାନେ ପ୍ରାୟ ଚର୍ଚ୍ଚାକୁ ଆସିନଥିଲେ । ବର୍ତ୍ତମାନ ପରିବର୍ତ୍ତିତ ସ୍ଥିତିରେ ଏହି ନେତାମାନେ ପୁଣି ଲୋକଲୋଚନକୁ ଆସିବାରେ ଲାଗିଛନ୍ତି । ସରକାର ଗଠନ ପ୍ରକ୍ରିୟାରେ ଉଦାର ନୀତି ଅବଲମ୍ବନ କରିବା ସହ ଆନ୍ତର୍ଜାତିକ ସର୍କିଟରେ ଭାବମୂର୍ତ୍ତିକୁ ନିର୍ମଳ ରଖାଯିବ ବୋଲି ତାଲିବାନ ପ୍ରତିଶ୍ରୁତି ଦେଇଚାଲିଛି ।
ତାଲିବାନ ନେତୃତ୍ୱର ଶୀର୍ଷରେ ଥିବା ନେତାମାନେ ହେଲେ:-
ହୈବାତୁଲ୍ଲା ଅଖୁଣ୍ଡ୍ଜାଦା: ୧୯୬୧ରେ ଜନ୍ମଗ୍ରହଣ କରିଥିବା ହୈବାତୁଲ୍ଲା ହେଉଛନ୍ତି ତାଲିବାନ ସଂଗଠନର ତୃତୀୟ ସର୍ବୋଚ୍ଚ କମାଣ୍ଡର । ସାମରିକ ବିଶାରଦ ଅପେକ୍ଷା ଲୋକଙ୍କ ନିକଟରେ ଜଣେ ଧାର୍ମିକ ନେତାଭାବେ ସେ ଅଧିକ ପରିଚିତ । ସାଧାରଣତଃ ପ୍ରଚାରଠାରୁ ଦୂରରେ ରହୁଥିବା ହୈବାତୁଲ୍ଲା ଆଗାମୀ ସରକାରରେ ଗୁୁରୁତ୍ୱପୂର୍ଣ୍ଣ ପଦ ପାଇବା ନିଶ୍ଚିତ ।
ଅବଦୁଲ ଘନି ବରାଦର: ତାଲିବାନ ସଂଗଠନରେ ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱଭାବେ ବରାଦର ବେଶ ଜଣାଶୁଣା । ଅଲ କାଏଦାର ପୂର୍ବତନ ସୁପ୍ରିମୋ ଓସାମା ବିନ୍ ଲାଡେନ୍ର ଘନିଷ୍ଠ କୁହାଯାଉଥିବା ବରାଦର ତାଲିବାନ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା । ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ଦୌଡରେ ସେ ସର୍ବାଗ୍ରେ ରହିଛନ୍ତି । ବରାଦର ବର୍ତ୍ତମାନ କାତାରରେ ଅବସ୍ଥାନ କରୁଥିବାବେଳେ ମଙ୍ଗଳବାର ସ୍ୱଦେଶ ଫେରିଛନ୍ତି ।
ସିରାଜୁଦ୍ଦିନ ହକ୍କାନି: ଆମେରିକା ଦ୍ୱାରା ବେଆଇନ ଘୋଷିତ ହକ୍କାନି ନେଟ୍ୱାର୍କର ମୁଖିଆ ହେଉଛନ୍ତି ସିରାଜୁଦ୍ଦିନ ହକ୍କାନି । ୨୦୧୬ରେ ତାଲିବାନ ସହ ମିଶ୍ରଣ ପରେ ହକ୍କାନିଙ୍କୁ ଡେପୁଟି କମାଣ୍ଡର ପାହ୍ୟା ମିଳିଥିଲା । ସଂଗଠନର ସାମରିକ ଓ ଅର୍ଥନୈତିକ କାରବାର ସେ ସମ୍ଭାଳୁଥିଲେ ।
ମହମ୍ମଦ ୟାକୁବ: ତାଲିବାନ ସଂଗଠନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ହେଉଛନ୍ତି ମହମ୍ମଦ ୟାକୁବ । ପିତାଙ୍କ ମୃତ୍ୟୁପରେ ତାଲିବାନ ସଂଗଠନର ପରିଚାଳନା ଭାର ତାଙ୍କ ହାତକୁ ଆସିବା କଥା । ତେବେ ନେତୃତ୍ୱ ନେବାର ଦକ୍ଷତା କମ ଥିବାରୁ ସଂଗଠନରେ ତାଙ୍କୁ ଏତେଟା ଗୁରୁତ୍ୱ ଦିଆଯାଉନଥିଲା । ହକ୍କାନି ନେଟ୍ୱାର୍କର ପ୍ରଚ୍ଛନ୍ନ ସମର୍ଥନ ଥିବାରୁ ନୂଆ ସରକାରରେ ତାଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅବଦୁଲ ହକିମ ହକ୍କାନି: ତାଲିବାନ ସୁପ୍ରିମ କମାଣ୍ଡର ହୈବାତୁଲ୍ଲାଙ୍କୁ ଘନିଷ୍ଠ ସହଯୋଗୀଭାବେ ଅବଦୁଲ ହକ୍କାନି ବେଶ ପରିଚିତ । ଆମେରିକା, ବ୍ରିଟେନ, ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସହ ଆଲୋଚନାରେ ଅବଦୁଲ ତାଲିବାନ ମୁଖପାତ୍ରଭାବେ କାର୍ଯ୍ୟ କରିଛନ୍ତି । ତାଲିବାନ ଧାର୍ମିକ ଶାଖା ପରିଚାଳନାରେ ତାଙ୍କର ବେଶ ଅଭିଜ୍ଞତା ରହିଛି ।
ଶେର ମହମ୍ମଦ ଆବାସ ସ୍ତାନିକ୍ଜାଇ: ତାଲିବାନ ସଂଗଠନରେ ଜଣେ ଶିକ୍ଷିତ ବ୍ୟକ୍ତିଭାବେ ସ୍ତାନିକ୍ଜାଇଙ୍କର ସୁନାମ ରହିଛି । ଅନର୍ଗଳ ଇଂରାଜୀ କହିପାରୁଥିବା ସ୍ତାନିକ୍ଜାଇ ନବେ ଦଶକରେ ଆଫଗାନିସ୍ତାନର ବିଦେଶ ରାଷ୍ଟ୍ରମନ୍ତ୍ରୀଭାବେ କାର୍ଯ୍ୟ କରିଥିବାବେଳେ ଅନେକ ରାଷ୍ଟ୍ର ପରିଦର୍ଶନ କରିସାରିଛନ୍ତି । ତେଣୁ ନୂତନ ସରକାରରେ ତାଙ୍କର ସ୍ଥାନ ପକ୍କା ବୋଲି ତାଲିବାନ ସଂଗଠନ ପକ୍ଷରୁ ସୂଚନା ମିଳିଛି ।
ଜବିଉଲ୍ଲା ମୁଜାହିଦ୍: ଜବିଉଲ୍ଲା ହେଉଛନ୍ତି ତାଲିବାନ ସଂଗଠନର ପ୍ରମୁଖ ମୁଖପାତ୍ର । କାବୁଲ ଅକ୍ତିଆର ପରେ ଜବିଉଲ୍ଲା ତାଲିବାନ ପକ୍ଷରୁ ଅନୁଷ୍ଠିତ ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଆମେରିକା ସହ ଲଢେଇ ସମୟରେ ସେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସାମ୍ବାଦିକଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ ।