କାବୁଲ: ତାଲିବାନର ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ କବଜା ଓ ରାଷ୍ଟ୍ରପତି ଅସରଫ ଗନି ବିଦେଶ ପଳାୟନ କରିବା ପରେ ଦେଶର ନୂଆ ମୁଖିଆଙ୍କୁ ନେଇ ଅଙ୍କକଷା ଜୋର ଧରିଛି । କୁହାଯାଉଛି କଟରପନ୍ଥୀ ଇସଲାମିକ ସମୂହ ତାଲିବାନର ବଡ ନେତା ମୁଲ୍ଲା ଅବଦୁଲ ଗନୀ ବରାଦର ଦେଶର ରାଷ୍ଟ୍ରପତି ହୋଇପାରେ । ରିପୋର୍ଟ ଅନୁସାରେ, ମୁଲ୍ଲା ବରାଦର ଏକ ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ କରିଛି । ମୁଲ୍ଲା ଅବଦୁଲ ଗନୀ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ସୂଚନା ମଳିଛି । କିନ୍ତୁ ଏ ନେଇ ତାଲିବାନ ବିବୃତ୍ତି ରଖିନାହିଁ। ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜର ରାଜନୀତିକ ଦଳ ସହିତ କାଜାକାସ୍ତାନ ପଳାଇଛନ୍ତି । ଏଥିସହ ଆଫଗାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି । ଦେଶର ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସ୍ୱାଭାବିକ ଭାବରେ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ତାଲିବାନ। ଏକ ବିବୃତ୍ତି ଜାରି କରି ତାଲିବାନ କହିଛି ଯେ ଦେଶରେ ଯେଉଁଭଳି ସରକାରୀ ପ୍ରଥା ଚାଲିଥିଲା ଏବେ ସମାନ ନିୟମ ରହିବ। କୌଣସି ସଂସ୍ଥା ପାଖରୁ ତାଲିବାନ ପ୍ରତିଶୋଧ ନେବ ନାହିଁ।