ନୂଆଦିଲ୍ଲୀ: ବାହାଘରର ଦୁଇ ମାସ ପରେ ସ୍ତ୍ରୀର ମୃତ୍ୟୁ ହୋଇଯିବାରୁ ସ୍ୱାମୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ଏହି ଦୁଃଖକୁ ସହି ନପାରି ପୋଲିସ କର୍ମଚାରୀ ସ୍ୱାମୀ, ସ୍ତ୍ରୀର ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଛତିଶଗଡ଼ର ବାଲୋଦରେ ଘଟିଛି । ସୂଚନା ଅନୁଯାୟୀ, ବାଲୋଦ ପୋଲିସର ଟେକାପାରରେ ବସବାସ କରୁଥିବା ମନୀଷ ନେତାପ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୁଇମାସ ପୂର୍ବରୁ ମନୀଷଙ୍କ ବିବାହ ହୋଇଥିଲା ।୧୭ଦିନ ପୂର୍ବରୁ ଘରେ ଲାଗିଥିବା ଟାଇଲ୍ସରେ ମନୀଷଙ୍କ ପତ୍ନୀ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ୨ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସ୍ୱାମୀ-ସ୍ତ୍ରୀ ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ । ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀ ମନୀଷ ପ୍ରତିଦିନ ସ୍ତ୍ରୀର ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନକୁ ଯାଇ କାନ୍ଦି ଥାଆନ୍ତି । ପ୍ରତଦିନ ଭଳି ମନୀଷ ଗତ ବୁଧବାର ବି ପତ୍ନୀଙ୍କ ଅନ୍ତିମ ସଂସ୍କାର ସ୍ଥଳକୁ ଯାଇଥିଲେ । କିଛି ସମୟ ବସିବା ପରେ ସେଠାରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ମନୀଷ । ଆତ୍ମହତ୍ୟା ପୂର୍ବରୁ ମନୀଷ ସୁଇସାଇଡ ନୋଟ ହ୍ୱାଟସଆପ ଜରିଆରେ ନିଜ ଭାଇ ପାଖକୁ ପଠାଇଥିଲେ । ସୁଇସାଇଡ ନୋଟରେ ମନୀଷ ଲେଖିଥିଲେ, ଦୁଇମାସ ପୂର୍ବରୁ ମୋର ବିବାହ ହୋଇଥିଲା । ଲତାଙ୍କ ମୃତ୍ୟୁ ପରେ ମୁଁ ତାଙ୍କୁ ଭୁଲି ପାରୁ ନାହିଁ । ବହୁତ କଷ୍ଟରେ ନୂଆ ଘର ତିଆରି କରିଥିଲି । ଏହି ଘରେ ପତ୍ନୀ ଲତାର ମୃତ୍ୟୁ ହେବ ତାହା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଆଉ ଏହି ଘରେ ରହିବାକୁ ମନ ହେଉ ନାହିଁ । ଛୋଟୁ ବାପା ଓ ଦିଦିଙ୍କୁ କହିବୁ ମୋତେ କ୍ଷମା କରିଦେବେ ।