ନୂଆଦିଲ୍ଲୀ : ଭାରତର ମହିଳା ଆଥଲେଟ୍ ତଥା ଧାବିକା ହିମା ଦାସଙ୍କୁ ଝଟକା । ଏଠାରେ ଚାଲିଥିବା ଜାତୀୟ ଅନ୍ତ-ରାଜ୍ୟ ଆଥାଲଟିକ୍ ଚାମ୍ପିଅନଶି୍ର ଶନିବାର ଦିନ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍ ରେସ୍ ଅବସରରେ ଆହତ ହୋଇଛନ୍ତି । ଦୌଡିବା ବେଳେ ତାଙ୍କ ମାଂସ ପେଶୀରେ ଆଘାତ ଲାଗିଛି । ତେଣୁ ମୁଖ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ହିଟ୍ ରେସ, ଏହି ଦୂରତ୍ୱକୁ ସେ ୧୨.୦୧ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ହୋଇଥିଲେ । ମାତ୍ର ଆହତ ଜନିତ କାରଣ ନେଇ ପରବର୍ତ୍ତୀ ରେସ୍ରେ ଭାଗ ନେଇ ପାରିବେ ନାହିଁ ବୋଲି ଜଣାପଡିଛି । ତେଣୁ ଭାରତୀୟ ରିଲେ ଦଳ ବଡ କ୍ଷତି ଭୋଗିବାକୁ ପଡିବ । କାରଣ ୪ ଗୁଣା ୧୦୦ ମିଟର ମହିଳା ରିଲେ ଟିମର ସେ ପ୍ରମୁଖ ଧାବିକା ଥିଲେ । ଅନ୍ୟତମ ଧାବିକା ଦୂତୀ ଚାନ୍ଦ ,ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁଶିନ୍ଦ୍ରନଙ୍କ ସହିତ ହିମା ଦାସ ରିଲେ ଟିମର ସଦସ୍ୟା ଥିଲେ । ତେଣୁ ହିମା ଦାସ ବାଦ ପଡିଲେ ରିଲେ ଦଳକୁ ବଡ ଝଟକା ଲାଗିବ ।