ବେଗୁନିଆପଡ଼ା : ଜୁନ୍ ୧୦ ତାରିଖରେ ପଡୁଛି ସାବିତ୍ରୀ ବ୍ରତ। ଏହାର ଠିକ୍ ୨ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଶନିବାର ଓ ରବିବାର ସାପ୍ତାହନ୍ତ ସଟଡାଉନ୍ ଥିବା ବେଳେ ସୋମବାର ବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। କୋଭିଡ୍ କଟକଣାକୁ ନମାନି ଏତେ ସଂଖ୍ୟକ ଲୋକ ବଜାରରେ ଭିଡ ଜମାଉଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ନିସ୍କ୍ରିୟ ହୋଇ ପଡିଥିବା ଦେଖିବାକୁ ମିଳିଛି। ଲୋକକଂ ମୁହଁରେ ମାକ୍ସ ନଥିବା ବେଳେ ଦୋକାନୀ ମାନୁ ନାହାଁନ୍ତି ପଞ୍ଚସୂତ୍ରୀ ନିୟମ। ଖୁଲମଖୁଲା ଉଲ୍ଲଂଘନ ହେଉଛି କୋଭିଡ୍ ଗାଇଡ୍ ଲାଇନ୍ ।ବେଗୁନିଆପଡ଼ା ବଜାର ଏହି ବ୍ଲକର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ହୋଇଥିବା ବେଳେ ଅଙ୍ଗାରଗାଁ ଠାରୁ ଆରମ୍ଭ କରି କଞ୍ଚଣା ପର୍ଯ୍ୟନ୍ତ ଲୋକେ ଏଠାକୁ କାରବାର କରିବାକୁ ଆସିଥାନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶାସନର ଅପାରଗତା ଯୋଗୁଁ ଏଠାରେ ଖୁଲମଖୁଲା ଭାବେ ଲୋକେ କୋଭିଡ୍ ନିୟମକୁ ଧଜିଆ ଉଡାଇ ଚାଲିଛନ୍ତି। ପିଲା ଠାରୁ ବୁଢା ସମସ୍ତେ ବିନା ମାସ୍କରେ ଏବଂ ଅଯଥାରେ ବୁଲୁଥିବା ଦେଖିବାକୁ ମିଳିଛି ।ପ୍ରତି ଦୋକାନରେ ଲୋକେ ଏକତ୍ରୀତ ହୋଇ ରୁଣ୍ଡ ହେଉଥିବା ବେଳେ ଦୋକାନୀ ମାନେ ସାନିଟାଇଜର ବି ବ୍ଯବହାର କରୁ ନାହାଁନ୍ତି। ବେଗୁନିଆପଡ଼ା ମୁଖ୍ୟ ବଜାର ରାସ୍ତା ଜାମ୍ ହେଉଥିବା ବେଳେ ଦୁଇଜଣ ହୋମ୍ ଗାର୍ଡ ନାମକୁ ମାତ୍ର ମୁତୟନ କରାଯାଇଛି। ସେମାନଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। କୋଦଳା ତହସିଲଦାର ପୂର୍ବରୁ ବେଗୁନିଆପଡ଼ା ବଜାରରେ ଘନ ଘନ ଚଢାଉ କରି କୋଭିଡ୍ ନିୟମକୁ ନେଇ ସତର୍କତା କରାଉଥିଲେ। କିନ୍ତୁ ଏବେ ଆଉ ନା ତହସିଲଦାର ନା କୌଣସି ପ୍ରଶାସନିକ ଅଧିକାରୀ, କାହାରି ଦେଖା ମିଳୁନି ।ରାଜ୍ୟରେ କରୋନା ଏବେ ତାଣ୍ଡବଲୀଳା ରଚୁଥିବା ବେଳେ ବେଗୁନିଆପଡ଼ା ବଜାରରେ କରୋନା ବଣ୍ଟାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏଥି ପ୍ରତି ପ୍ରଶାସନ ନଜର ନଦେଲେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।