27.1 C
Bhubaneswar
Monday, March 17, 2025
Homeଓଡିଶାବିନା ଭକ୍ତରେ ହେଲା ଭଉଁରୀ ଯାତ୍ରା, ରାତି ଚାପରେ ୨୧ଘେରା ବୁଲିଲେ ଚଳନ୍ତି ପ୍ରତିମା

ବିନା ଭକ୍ତରେ ହେଲା ଭଉଁରୀ ଯାତ୍ରା, ରାତି ଚାପରେ ୨୧ଘେରା ବୁଲିଲେ ଚଳନ୍ତି ପ୍ରତିମା

ପୁରୀ : ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ପରିସମାପ୍ତି ଘଟିଛି । ଆଜି ହେବ ହଳଦି ପାଣି । ପରମ୍ପରା ଅନୁସାରେ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ନରେନ୍ଦ୍ର ସରୋବରକୁ ଯାଇ କେବଳ ଚାପ ଛୁଇଁ ପ୍ରତ୍ୟାବର୍ତ୍ତନ କରିବେ । ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଭଉଁରୀ ଅବସରରେ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଦିନଚାପରେ ଗୋଟିଏ ଘେରା ନରେନ୍ଦ୍ର ସରୋବରର ଚତୁଃପାଶ୍ୱର୍ ପରିକ୍ରମା କରିଥିବା ବେଳେ ରାତି ଚାପରେ ୨୧ଘେରା ବୁଲିଥିଲେ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଆଦି ପୁଷ୍ପମାଳାରେ ସୁସଜ୍ଜିତ ମଣି ବିମାନ ଓ ପଞ୍ଚପାଣ୍ଡବଙ୍କ ବିମାନ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା । ଶ୍ରୀମନ୍ଦିରରୁ ମଣି ବିମାନରେ ଠାକୁର ବାହାରି ସିଂହଦ୍ୱାର ସମ୍ମୁଖକୁ ଆସିବା ପରେ ପଞ୍ଚପାଣ୍ଡବଙ୍କ ସହିତ ମଣି ବିମାନରେ ହଲି ହଲି ନରେନ୍ଦ୍ର ସରୋବରକୁ ଯାତ୍ରା କରିଥିଲେ ।

ସମ୍ମୁଖରେ ପାଲିଙ୍କିରେ ରାମକୃଷ୍ଣ ମଧ୍ୟ ଯାତ୍ରା କରିଥିଲେ । କୋଭିଡ଼ କଟକଣା ଯୋଗୁଁ ଗତବର୍ଷ ଭଳି ବିନା ଭକ୍ତରେ ଭଉଁରୀ ଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ବଡ଼ଦାଣ୍ଡରେ ଠାକୁର ପନ୍ତି ଖାଇବା ପାଇଁ ପୂର୍ବେ କରାଯାଉଥିବା ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ଦେଖିବାକୁ ମିଳିନଥିଲା । କେବଳ ନରେନ୍ଦ୍ରକୋଣ ଠାରେ ଗୋଟିଏ ମାତ୍ର ଛାମୁଣ୍ଡିଆ କରାଯାଇଥିବା ଦେଖା ଯାଇଥିଲା । ଯେଉଁଠାରେ ଠାକୁର ପନ୍ତି ଖାଇଥିଲେ । ଠାକୁରମାନେ ନରେନ୍ଦ୍ର ସରୋବର ଚକଡ଼ାରେ ପହଞ୍ଚିବା ପରେ ଚନ୍ଦ୍ରାତପ ଶୋଭିତ ନନ୍ଦା ଓ ଭଦ୍ରା ଚାପରେ ବିରାଜମାନ କରିଥିଲେ ମଦନମେହନ, ରାମକୃଷ୍ଣ ଓ ପଞ୍ଚମହାଦେବ ଶ୍ରୀନୀଳକଣ୍ଠ, ଶ୍ରୀଜମେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେୟ ଏବଂ ଶ୍ରୀଲୋକନାଥ । ଦିନ ଚାପ ପରେ ଠାକୁରମାନେ ଚନ୍ଦନ ଘରକୁ ବିଜେ କରି ସୁଶୀତଳ ଓ ସୁଗନ୍ଧିତ ଜଳରେ ସ୍ନାନ କରିଥିଲେ ।

ବିଗ୍ରହମାନଙ୍କୁ ବିଭିନ୍ନ ପୁଷ୍ପରାଜିରେ ବେଶ କରାଯାଇଥିଲା । ଏହି ଅବସରରେ ଚନ୍ଦନ ଘର ଓ ଚନ୍ଦନ ଚକଡ଼ାକୁ ବିଭିନ୍ନ ପୁଷ୍ପରାଜିରେ ସୁଶୋଭିତ କରାଯାଇଥିଲା । ଠାକୁରମାନେ ସରୋବରରେ ରାତି ଚାପରେ ୨୧ଘେରା ବୁଲି ଚାପ ଖେଳିଥିଲେ । ମହାପ୍ରଭୁଙ୍କ ନୌକାବିହାର ସମୟରେ ଚାପର ଆଗେ ଆଗେ ଅନ୍ୟ ଏକ ଡ଼ଙ୍ଗାରେ ବଜନ୍ତ୍ରୀ ଓ ବାଦ୍ୟକାରମାନେ ତେଲିଙ୍ଗି ବାଦ୍ୟ ବାଦନ କରୁଥିବା ବେଳେ ବନାଟି କୌଶଳ ପ୍ରଦର୍ଶନ କରିଥିଲେ । ନନ୍ଦା ଓ ଭଦ୍ରା ଚାପରେ ରହିଥିଲା ଛାମୁ ଦିହୁଡ଼ି । ରାତି ଚାପ ଶେଷ ହେବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କୋଭିଡ଼ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି କରାଯାଇଥିଲା । ନିଷେଧାଜ୍ଞାକୁ ବଳବତ୍ତର କରିବା ପାଇଁ ୫ପ୍ଳାଟୁନ ପୁଲିସ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking