ନୂଆଦିଲ୍ଲୀ: ଘରୁ ନିଖୋଜ ଥିବା କୋମଳମତି ଶିଶୁକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ତାର ଏକ ଆଖି ତାଡିବା ସହିତ ଶବକୁ ପୋଖରୀରେ ଫିଙ୍ଗି ଦେଇଥିବା ସାମ୍ନାକୁ ଆସିଛି । ଖୋଜୁଥିବା ପରିବାର ଲୋକେ ଶବ ଦେଖିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ପହଂଚି ସନ୍ଦେହ ଆଧାରରେ ଜଣେ ଯୁବକକୁ ଗିରଫ କରି ମୃତ ଶିଶୁର ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପଟନା ଜିଲ୍ଲାର ସଫଦରଙ୍ଗଜ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଛି । ସେଠାରେ ବାସ କରୁଥିବା ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଦୁଇ ଦିନ ପୂର୍ବରୁ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ଘରେ ତାଙ୍କ ପତ୍ନୀ, ୧୦ ବର୍ଷର ପୁଅ, ୬ ବର୍ଷ ଝିଅ ଏବଂ ଆଉ ଗୋଟିଏ ପୁଅ ବି ଥିଲା । ରବିବାର ସନ୍ଧ୍ୟାରେ ଘର ବାହାରେ ଖେଳୁଥିବା ୬ ବର୍ଷର ଝିଅ ଅଚାନକ ଭାବରେ ଗାୟବ ହୋଇ ଯାଇଥିଲା । ଅନେକ ସମୟ ଯାଏଁ ଝିଅ ନମିଳିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତିରେ ତାର ଶବ ଗାଁଠାରୁ ୫୦୦ ମିଟର ଦୂର ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ଶବକୁ ପାଣିରୁ ବାହାର କରାଯାଇଥିଲା । ତା ନାକରୁ ରକ୍ତ ବାହାରୁଥିଲା । ବାମ ଆଖି ବି କଣା ହୋଇଥିଲା । ଗଳାରେ କ୍ଷତ ଚିହ୍ନ ଥିଲା । ସୂଚନା ମିଳିବା ପରେ ଘରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୁଲିସକୁ ଏନେଇ ଖବର ଦିଆଯାଇଥିଲା । ପୁଲିସ ଅଜୟ ନାମକ ଜଣେ ଯୁବକକୁ ଗିରଫ କରି ତଦନ୍ତ ଚଲାଇଛି ।