କଟକ : ସହରରେ ଟିକାକରଣ ବ୍ୟବସ୍ଥା ଯେଭଳି ସୁରୁଖୁରୁରେ କରାଯାଇ ପାରିବ ସେ ନେଇ ସିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ସୁବିଧାରେ ଟିକା ଦେବା ପାଇଁ ସହରରେ ଆହୁରି ୧୬ଟି ଘରୋଇ ଚିକିତ୍ସାଳୟକୁ ଟିକାକରଣ କେନ୍ଦ୍ର ଭାବେ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ୧୦ଟି ଘରୋଇ ଚିକିତ୍ସାଳୟକୁ ଟିକାକରଣ ପାଇଁ ଅନୁମତି ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୁଦାୟ ୨୬ଟି ଘରୋଇ ଚିକିତ୍ସାଳୟରେ ଟିକାଦାନ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସାଳୟକୁ ମାଗଣା ଟିକା ଯୋଗାଇ ଦିଆଯିବ । ଟିକାଧାରୀ ବ୍ୟକ୍ତି କେବଳ ଚିକିତ୍ସାଳୟର ସେବା ବାବଦକୁ ପ୍ରତି ଡୋଜ୍ ପିଛା ୧୦୦ ଟଙ୍କା ଦେବାକୁ ଧାର୍ଯ୍ୟ କରାଯାଇଛି ।
ମନୋନୀତ ହୋଇଥିବା ୧୬ଟି ନୂଆ ଘରୋଇ ଚିକିତ୍ସାଳୟଗୁଡ଼ିକ ହେଲା ନୂଆବଜାର ପୋତାପୋଖରୀ ନିଟକ ଏଲଆଇଜିଜି, ବିଜୁ ପଟ୍ଟନାୟକ ଛକସ୍ଥିତ ୱେଲଫେୟାର, ମଙ୍ଗଳାବାଗସ୍ଥିତ ଜେଏମ୍ଜି ସ୍ୱତନ୍ତ୍ର ନିଦାନ କେନ୍ଦ୍ର, ବାଦାମବାଡ଼ି ନୂଆ ଏଲଆଇସି କଲୋନୀ ନିକଟ କଟକ ଲାପରୋସ୍କୋପିକ ଚିକିତ୍ସାଳୟ, ରାଣୀହାଟ କେନାଲ ରାସ୍ତା ନିକଟ ଚାଣକ୍ୟ ଚିକିତ୍ସାଳୟ, କାଠଗୋଲା ସାହିସ୍ଥିତ ଉର୍ମିଳା ଚିକିତ୍ସାଳୟ, ଥୋରିଆ ସାହିସ୍ଥିତ ଶାନ୍ତି, ତ୍ରିଶା ଚିକିତ୍ସାଳୟ, ବଜ୍ରକବାଟିସ୍ଥିତ ସୃଷ୍ଟି, ମହାନଦୀ ବିହାରର ସାବରମତୀ, ତେଲେଙ୍ଗାପେଣ୍ଠ ସ୍ଥିତ ଏଚସିଜି କର୍କଟ ଚିକିତ୍ସାଳୟ, ମହତାବ ରାସ୍ତା ନିକଟ ଦାସ ସ୍ୱାସ୍ଥ୍ୟ ଯତ୍ନ, ମର୍କତନଗରର ଚିକିତ୍ସା ଏବଂ ଲିଙ୍କରୋଡ୍ସ୍ଥିତ ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟରେ ଟିକା ପ୍ରଦାନ କରାଯାଇପାରିବ । ଟୀକା ନେବା ପାଇଁ ଅନଲାଇନ ପଞ୍ଜିକରଣ କରିବାକୁ ପଡିବ ।
ଆବଶ୍ୟକ ସୂଚନା ପାଇବା ନିମନ୍ତେ ଚିକିତ୍ସାଳୟଗୁଡ଼ିକର ଯୋଗାଯୋଗ ନମ୍ବର ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ସମେତ ଅନ୍ୟ ୧୧ଟି ଘରୋଇ ଚିକିତ୍ସାଳରେ ଟୀକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।