ନବରଙ୍ଗପୁର : ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନି ଘଟିଛି। ଏହି ୭ ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ଓଡ଼ିଶାର ୬ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ଘର ବଲାଙ୍ଗୀର ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଘର ନବରଙ୍ଗପୁର। ଅନ୍ୟଜଣେ ଛତିଶଗଡ଼ ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସାପ୍ତାହିକ ହାଟକୁ ପରିବା ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ଡାବୁଗାଁ ବ୍ଲକ୍ ଚିକିଲି ଗ୍ରାମର ପରମାନନ୍ଦ ଗୌଡ଼ (୬୦) ଓ ଅସ୍ତୁ ଭତରା (୬୨), ବୁଦନ ଗୌଡ଼ (୩୫), ବଲାଙ୍ଗୀର ଜିଲ୍ଲାର କୃପା ସୁନା (୪୦), ଗୋପାଳ ଦୀପ (୪୫) ଏବଂ କଳା କୁମାର (୨୫)। ଅନ୍ୟ କେତେକ ଦାଦନ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଚିକିଲି ଗ୍ରାମର ପ୍ରାୟ ୧୦୦ଜଣ ଶ୍ରମିକ ଦୁଇମାସ ତଳେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଯାଇଥିଲେ। ସେଥିମଧ୍ୟରୁ କିଛି ଦାଦନ ଶ୍ରମିକ ହାଇଦ୍ରାବାଦ ନିକଟ ସମସାବାଦ ଠାରେ ଇଟା ଭାଟିରେ କାମ କରୁଥିଲେ। ଗତକାଲି କାମ ସରିବା ପରେ ପ୍ରାୟ ୩୦ଜଣ ଶ୍ରମିକ ସାପ୍ତାହିକ ହାଟକୁ ରାସନ ଏବଂ ପରିବା କିଣିବା ପାଇଁ ଯାଇଥିଲେ। କିଣାକିଣି କରି ଫେରିବା ସମୟରେ ଟ୍ରକ୍ ସମ୍ମୁଖକୁ ହଠାତ୍ ଗୋଟିଏ କାର୍ ଚାଲି ଆସିଥିଲା। ଯାହାଫଳରେ ଟ୍ରକ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। କାର୍ ସହ ଧକ୍କା ହୋଇ ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡ଼ିଥିଲା। ଫଳରେ କିଛି ଶ୍ରମିକ ଟ୍ରକ୍ରୁ ଛିଟିକି ପଡ଼ିଥିବାବେଳେ କିଛି ଜଣ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ।