ବ୍ରହ୍ମପୁର : ନିଜ ଜନ୍ମକଲା ପୁଅର ଅତ୍ୟାଚାର ସୀମା ଏତେ ମାତ୍ରାର ଅତିକ୍ରମ କଲା ଯେ ଶେଷରେ ମା’ର ଅସହାୟ ହୋଇପଡିଲା । ନ୍ୟାୟ ନିମନ୍ତେ ଥାନାରେ ଆଶ୍ରୟ ନେଇଥିଲେ । କିନ୍ତୁ ଥାନା ବାବୁ ଶୁଣିଲେ ନାହିଁ । ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ମା’ କନକ ପାତ୍ର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି । ବ୍ରହ୍ମପୁର ବାଲାଜୀ ପେଣ୍ଠ ସାହି ନିବାସୀ ୮୦ ବର୍ଷର ବୃଦ୍ଧା କନକ ପାତ୍ର । ତାଙ୍କ ସ୍ୱାମୀ ବଳରାମ ପାତ୍ର ଜଣେ ପାଦଚଲା ପ୍ରତିଯୋଗିତାରେ ଜାତୀୟସ୍ତରର ବିଜେତା । କନକଙ୍କ ସ୍ୱାମୀ ଗତ ଦୁଇ ବର୍ଷ ହେବ ମୃତ୍ୟୁ ଘଟିଥିଲା । ଏହା ପରେ ଆରମ୍ଭ ହେଲା ନିର୍ଯାତନା ।
ଘରେ ଖାଇବାକୁ ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ତଳେ ତାଙ୍କ ନିଜ ଘରୁ ତଡ଼ି ଦେଇଛନ୍ତି । ତୃତୀୟ ଝିଅ କଲ୍ୟାଣୀ ଥିବା ଭଡ଼ା ଘରେ ଆଶ୍ରୟ ନେଇଛନ୍ତି। ଏହି ସମସ୍ତ ଘଟଣାକୁ ନେଇ କନକ ପାତ୍ର ପୂର୍ବରୁ ବଡ ବଜାର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ଗତ ବର୍ଷ ଡିସେମ୍ବର ୧୫ରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ମଧ୍ୟ ମିଳିନଥିଲା ନ୍ୟାୟ । ପରେ ସେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିକଟରେ ନିଜର ଅଭିଯୋଗ କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି କନକ କହିଛନ୍ତି । ଶେଷରେ ସେ ବାଧ୍ୟ ହୋଇ ଡିଆଇଜିଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଥିଲେ।