ଜଟଣୀ : ଜଟଣୀର କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଲୁଟେରା ସକ୍ରିୟ ହୋଇଛନ୍ତି । ଜଟଣୀ ଥାନା ଅନ୍ତର୍ଗତ ହରିପୁର ପଞ୍ଚୟତର ବିଭିନ୍ନ ଗ୍ରାମରେ ଏଭଳି ବାରମ୍ବାର ଲୁଟ୍ ହେଉଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ହରିପୁର ପଞ୍ଚାୟତର ବିଭିନ୍ନ ୱାର୍ଡରେ ଲଗାତାରଭାବେ ଘରୁ ଲୁଟ୍ ହୋଇଆସୁଥିଲା । ତେଣୁ ଗ୍ରାମବାସୀମାନେ ଏକ ବୈଠକ କରି ପ୍ରତିୱାର୍ଡରୁ ୨ଜଣ ଲେଖାଏଁ ରାତିରେ ଗ୍ରାମ ଜଗିବାଲାଗି ସ୍ଥିର କରିଥିଲେ । ଗତକାଲି ରାତିରେ ହରିପୁର ଗ୍ରାମରେ ୬ଜଣ ଜଗୁଆଳି ରହିଥିଲେ । ସେଥିମଧ୍ୟରୁ ୱାର୍ଡ ନଂ ୩ରେ ଗ୍ରାମର କାଳନ୍ଦୀ ଚରଣ ବାରିକ ଓ ଯୋଗେନ୍ଦ୍ର ସାମନ୍ତରାୟ ଗ୍ରାମର ପ୍ରବେଶ ପଥରେ ଜଗିରହିଥିଲେ ।
ବିଳମ୍ବିତ ରାତିରେ ୧୦ରୁ ୧୨ଜଣ ଯୁବକ ଏକ ବୋଲେରୋରେ ଆସି ଗ୍ରାମକୁ ପ୍ରବେଶ କରିଥିଲେ । ଜଗୁଆଳିଭାବେ ରହିଥିବା ଏହି ୨ଜଣ ବ୍ୟକ୍ତି ଏତେ ରାତିରେ କୁଆଡ଼େ ଏବଂ କାହା ଘରକୁ ଆସିଛନ୍ତି ବୋଲି ପଚାରିଥିଲେ । ମାତ୍ର ସେମାନେ କୌଣସି ଉତ୍ତର ନଦେଇ ଗାଁ ଭିତରେ ପଶିବାକୁ ଉଦ୍ୟମ କରିବାରୁ ସେମାନେ ବିରୋଧ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ସେମାନେ ବୋଲେରୋରେ ଆଣିଥିବା ଟେକାପଥର ମାଡ଼ କରିଥିଲେ ।
ଜଗୁଆଳିମାନେ ଭୟଭୀତ ହୋଇ ପଳାଇବା ସମୟରେ ସେମାନଙ୍କୁ ନିର୍ଘାତ ମାଡ଼ମାରି ଅଚେତ କରିଦେଇଥିଲେ ସେମାନେ । ଏହି ମାଡ଼ରେ କାଳନ୍ଦି ଅଚେତ ହୋଇ ପଡ଼ିଯିବା ସହିତ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଯୋଗେନ୍ଦ୍ରଙ୍କ ଛାତିରେ ମାଡ଼ ବାଜି ଆହତ ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ସୋମବାର ରାତିରେ ଏହିଥାନା ଅଧୀନ ବରଅରା ଗ୍ରାମର ଅସିତ କୁମାର ସ୍ୱାଇଁ ବେଗୁନିଆ ବ୍ଲକ୍ରୁ ଡ୍ୟୁଟି ସାରି ନିଜଘର ଅଭିମୁଖେ ଆସୁଥିବାବେଳେ ତରାବୋଇ ଗ୍ରାମ ନିକଟରେ ୨ଜଣ ଯୁବକ ଏକ ପଲସର ବାଇକ୍ରେ ଆସି ତାଙ୍କ ପକେଟରୁ ମୋବାଇଲ ଫୋନ ଝାମ୍ପିନେଇ ଚମ୍ପଟ ମାରିଥିଲେ ।
ତେବେ ଏନେଇ ଅସିତ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଅନୁରୂପଭାବେ ସେହିଦିନ ରାତିରେ ବରଅରା ଗ୍ରାମର ଯଯାତି କେଶରୀ ପ୍ରଧାନଙ୍କ ଘର ନିକଟରେ ରହିଥିବା କୂଅରୁ କେହି ଦୁର୍ବୃତ୍ତ ୧ଏଚ୍ପି ପାଣି ମୋଟର ନେଇ ଚମ୍ପଟ ମାରିଛି । ଏ ନେଇ ଯଯାତି ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ବାରମ୍ବାର ବିଭିନ୍ନ ଗ୍ରାମରୁ ଚୋରି ହେଉଥିବାରୁ ବାଧ୍ୟ ହୋଇ କେତେକ ଗ୍ରାମରେ ପାଳିକରି ଲୋକେ ଜଗୁଥିବା ଜଣାପଡ଼ିଛି ।