ଝାରସୁଗୁଡ : ଦୀର୍ଘ ୪ ବର୍ଷ ଧରି ନିଖୋଜ ଥିବା ବାପାଙ୍କୁ ଆଜି ଫେସ୍ବୁକ ଯୋଗୁଁ ଫେରି ପାଇଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ତିହାଡିପାଲି ଅଞ୍ଚଳର ନୀଳକଣ୍ଠ ବାଦୀ ୪ ବର୍ଷ ପୂର୍ବେ ଘରୁ ପଳାଇ ଏଣେତେଣେ ବୁଲାବୁଲି କରୁଥିଲେ । ସେ ଅତି ଦୟନୀୟ ଭାବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ର ଫାଟକ ରାସ୍ତାରେ ବୁଧବାର ବୁଳାବୁଲିି କରୁଥିବାବେଳେ ଯୁବ ସମାଜସେବୀ ପ୍ରଭାତ କୁମାର ମହାନନ୍ଦ ନିଜ ଦୁଇ ସାଥୀଙ୍କ ସହ ବୃଦ୍ଧଙ୍କୁ ଖାଇବା ଦେବାସହ ତାଙ୍କ ବିଷୟରେ ପଚାରିଥିଲେ । ବୃଦ୍ଧ ଜଣକ ସଠିକ ଭାବରେ କିଛି କହି ନପାରିବାରୁ ପ୍ରଭାତ ତାଙ୍କ ଫଟୋକୁ ଫେସ୍ବୁକରେ ପୋଷ୍ଟ କରିଥିଲେ । ଏହାପରେ ଝାରସୁଗୁଡାରେ ଥିବା ନୀଳକଣ୍ଠଙ୍କ ପୁଅ ସୁରେଶ ବାପାଙ୍କୁ ଫେସ୍ବୁକରେ ଦେଖି ପ୍ରଭାତଙ୍କ ଫୋନ ନମ୍ବର ମାଗି ତାଙ୍କସହ କଥା ହୋଇଥିଲେ । ସେ ଫେସ୍ବୁକରେ ଛାଡିଥିବା ଫଟୋଟି ତାଙ୍କ ବାପାଙ୍କର ଓ ସେ ଶୀଘ୍ର ତାଙ୍କୁ ନେବାପାଇଁ ବଲାଙ୍ଗୀର ଆସୁଛନ୍ତି କହି ସୁରେଶ ଓ ତାଙ୍କ ୩ ଭାଇ, ଭଉଣୀ ଝାରସୁଗୁଡ଼ାରୁ ଏକ ଗାଡ଼ିରେ ବାପା ନୀଳକଣ୍ଠଙ୍କୁ ନେବାକୁ ଆଜି ବଲାଙ୍ଗିର ଅଭିମୁଖେ (ଦେଓଗାଁ ) ଯାଇଛନ୍ତି । ଅନ୍ୟପଟେ ପ୍ରଭାତ ବୃଦ୍ଧ ନୀଳକଣ୍ଠଙ୍କ ଗାଧୋଇବା ଓ ଖାଇବାର ବ୍ୟବସ୍ଥା କରି ଦେଓଗାଁ ଥାନାରେ ନୀଳକଣ୍ଠଙ୍କୁ ସାମୟୀକ ରଖିବାର ବ୍ୟବସ୍ଥା କରିଛନ୍ତି ।