ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର ସ୍ୱାଭିମାନ ଅଂଚଳର ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତାଯାଇଥିବା ବହୁ ବିସ୍ଫୋରକ ସାମଗ୍ରୀକୁ ପୁଲିସ ଜବତ କରିଛି । ଗୋଇନ୍ଦା ବିଭାଗର ସୂତ୍ରରୁ ଖବର ପାଇବା ପରେ ପୁଲିସ ତଲାସୀ ଅଭିଯାନ ଆରମ୍ଭ କରି ଏହି ବିସ୍ଫୋରକ ଉଦ୍ଧାର କରିଛି । ଏଥିରେ ୨ ଟି ଡେଟୋନେଟର, ପ୍ରାୟ ୨୦ କିଲୋଗ୍ରାମ କଡେକ୍ସ ତାର, ୫୦ଟି ଇଲେକଟ୍ରିକ ଡେଟୋନେଟର, ୫୦ ମିଟର ଇଲେକଟ୍ରିକ ତାର, କିଛି ମାଓ ପୋଷାକ, ମାଓ ପତ୍ରିକା ଓ ୭୦ଟି ଆଲୁମିନିୟମ ସୁପରପ୍ଲେନ ଡେଟୋନେଟର ଉଦ୍ଧାର କରାଯାଇଛି । ଏହା ସାଧାରଣ ଜନତା ଓ ସୁରକ୍ଷାକର୍ମୀଙ୍କୁ ଟର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ପୋତି ରଖିଥିବା ସନ୍ଦେହ କରାଯାଉଥିବା ବେଳେ ଏହାପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ମାଲକାନଗିରି ଏସ.ପି ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି । ଏଥିରେ ଏସ.ଡି.ପି.ଓ ପ୍ରହଲ୍ଲାଦ ସହାଇ ମୀନା ଓ ଏ.ଏସ.ପି (ଟ୍ରୋନି) ଅଭିଳାଶ .ଜି ଉପସ୍ଥିତ ଥିଲେ ।