ରାଉରକେଲା:କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ -୪ଜାରି ହେଲା ପରେ ସତେ ଯେମିତି ଲୋକେ ଅନୁଭବ କରୁଛନ୍ତି କୋଭିଡ଼ କଟକଣା ସଂପୂର୍ଣ୍ଣ ହଟିଗଲ।। କରୋନାର ଭୟବହତାକୁ ଲୋକେ ସଂପୂର୍ଣ୍ଣ ଭୂଲି ଗଲାପରି ମନେ ହେଉଛି । ମହାମାରୀ କରୋନା କଟକଣା ଦେଶବ୍ୟାପୀ ଚାଲିଥିବାବେଳେ ଲାଠିକଟା ବ୍ଲକର ପ୍ରମୁଖ ସ୍ଥାନମାନଙ୍କରେ ଏହି କଟକଣାକୁ ବେଖାତିର କରାଯାଉଛି । ସାମାଜିକ ଦୂରତା ତ ଚୁଲିକି ଗଲାଣି ବୋଲି ସାଧାରଣରେ ଅଭିଯୋଗ ହେଲାଣି । ଦୀର୍ଘ ୫ମାସ ଧରି କରୋନା ବା କୋଭିଡ଼-୧୯ ଭୁତାଣୁ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବର୍ତମାନ ପର୍ଯ୍ୟନ୍ତ ଏଥିପାଇଁ କୌଣସି ଟିକା ବାହାରି ପାରିନଥିବାରୁ ଏହି ମହାମାରୀକୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ବାରମ୍ବାର ହାତ ଧୋଇବା ,ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାରୀ ଅବା ବେସରକାରୀ ସ୍ତରରେ ସମସ୍ତଙ୍କୁ ସଚେତନତା ବାର୍ତା ଦିଆଯାଇଛି । କିନ୍ତୁ ଅନେକ ନିୟମ ଉଲଂଘନକାରୀ ଅମାନିଆ ବ୍ୟକ୍ତିଙ୍କ ପକ୍ଷେ ଏସବୁ ନିରର୍ଥକ ପାଲଟିଛି । ଗାଁ ଗହଳିଠାରୁ ଆରମ୍ଭ କରି ଛକ ବଜାରମାନଙ୍କରେ ସରକାରଙ୍କ କୋଭିଡ଼ କଟକଣାକୁ କିଛି ଅମାନିଆ ଫୁ କରି ଦେଇଛନ୍ତି । ରାସ୍ତା ଘାଟରେ ମେଳି ହୋଇ ଗପସପ କରିବା,ତାସ ଓ ଲୁଡ଼ୁ ଖେଳିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲେ ବି ଅଧିକାଂଶ ଲୋକ ଏହାକୁ ବ୍ୟବହାର ନକରି ବେପାରୁଆ ଢଙ୍ଗରେ ଛକ ବଜାରରେ ବୁଲୁଛନ୍ତି । ସେହିପରି ଗାଁ ଗହଳି ତଥା ରାସ୍ତା କଡ଼ରେ ଥିବା ଚା ଓ ଜଳଖିଆ ଦୋକାନରେ ନାହିଁ ନଥିବା ଭିଡ଼ ଜମୁଛି । ପେଟପାଟଣାକୁ ଆଖି ଆଗରେ ରଖି ସରକାର ଅନଲକ-୪ରେ କଟକଣାକୁ କୋହଳ କରିଥିଲେ ବି ଅନେକ ଅମାନିଆ ନିଜେ ସଂକ୍ରମଣ ହେବା ସହ ଅନ୍ୟମାନଙ୍କୁ ସଂକ୍ରମଣ ଭିତରକୁ ଟାଣି ଦେଉଛନ୍ତି । ଅପରପକ୍ଷେ କରୋନୋକୁ ନେଇ ବସ ଚଳାଚଳ ବନ୍ଦ ରହିଥିବାବେଳେ ଗତି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ବସ ଚଳାଚଳକୁ ସ୍ୱାଭାବିକ କରାଯାଇଛି । ଫଳରେ ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକରେ ବସ ଯାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି । ବଜାରରେ ବାଇକ ଓ ସାଇକେଲ ଚାଳକଙ୍କ ଭିଡ଼କୁ ଦେଖିଲେ ସତେ ଯେମିତି କରୋନା କଟକଣା ସାରନଗରୀ ବଜାରରେ ଉଭେଇ ଯାଉଥିବା ମନେ ହେଉଛି । ଯାହାକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାର କରୁନଥିବା ଅମାନିଆ କିମ୍ବା ସାମାଜିକ ଦୂରତା ଅବମାନନା କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ସହିତ ସେମାନଙ୍କଠାରୁ ମୋଟା ଆକାରରେ ଫାଇନ ଆଦାୟ ନେଇ ପୁଲିସ ପଦକ୍ଷେପ ନେଉ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।