ଭୁବନେଶ୍ୱର: ରାଜଧାନୀକୁ ଏବେ ପୁଣି ଫେରିଛି ମହାମାରୀ କରୋନା । ଗତ କିଛି ଦିନ ତଳେ ରାଜଧାନୀରୁ ପଜେଟିଭ କେସ ବାହାରି ନଥିବା ବେଳେ ଏବେ ପୁଣି ଲୋକାଲ କେସ ବାହାରିଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୩ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ଆଉ ୬ଟି ହେଉଛି ଲୋକାଲ କେସ । ଭୁବନେଶ୍ୱର ୟୁନିଟ ୪ ଅଂଚଳରୁ ୨ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ଓ ସାଲିଆସାହି ଅଂଚଳରୁ ଜଣେ ଲେଖାଏଁ କେସ୍ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଆଇଗିଣିଆ, ଲକ୍ଷ୍ମୀ ସାଗର ରୁ ବି ଗୋଟିଏ ଲେଖାଁଏ ଲୋକାଲ କେସ ସାମ୍ନାକୁ ଆସିଛି ।
ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ରୁ ଏବେ ୫୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୭ଟି ଆକ୍ଟିଭ କେସ ବର୍ତମାନ ରହିଛି । ବର୍ତମାନ ଭୁବନେଶ୍ୱରରେ କରୋନା ପଜେଟିଭ ବାହାରିବା ପରେ ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକରା ଜୁନ ୩୦ ପର୍ଯ୍ୟନ୍ତ କରୋନା କଟକଣାକୁ କଡାକଡି କରିବା ସହ ଅଧିକ ସଂକ୍ରମିତ ହୋଇଥିବା ୧୧ଟି ଜିଲ୍ଲାକୁ ସପ୍ତାହରେ ୨ ଦିନ ସଟ ଡାଉନ କରିବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ବିନା କୌଣସି କାମରେ ଘରୁ ନବାହାରିବାକୁ ସରକାର ରାଜ୍ୟବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।