ଭୁବନେଶ୍ୱର : କରୋନା ଭାଇରସ୍ କୋଭିଡ୍-୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳପଥ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଠାରୁ ଆରମ୍ଭ କରି ଅସହାୟଙ୍କୁ ଖାଦ୍ୟ ଯୋଗାଇବା ସହ ମାସ୍କ ଓ ସାନିଟାଇଜର ଯୋଗାଣ ଉପରେ ଗୁରୁତ୍ୱ ଦେଇଛି। ସେହିଭଳି କରୋନା ସଂକ୍ରମିତଙ୍କ ପାଇଁ ଟ୍ରେନ୍ର କୋଚ୍ ଗୁଡ଼ିକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୨୬୧ କୋଚକୁ କ୍ୱାରେଣ୍ଟାଇନ ଓ ଆଇସୋଲେଶନ ଫ୍ୟାସିଲିଟି ସେଣ୍ଟରରେ ପରିଣତ କରାଯିବ। ପୂର୍ବତଟ ରେଳପଥ ଅଧୀନ ବିଭିନ୍ନ କୋଚିଂ ଡିପୋଟ୍ ଏବଂ ଓ୍ବାର୍କଶପରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ରୂପାନ୍ତରଣ କାର୍ଯ୍ୟ କରାଯିବ। ମଞ୍ଚେଶ୍ୱରସ୍ଥିତ ଓ୍ବାର୍କଶପରେ ୫୧ କୋଚ୍, ପୁରୀ କୋଚିଂ ଡିପୋରେ ୩୯, ଭୁବନେଶ୍ୱରରେ ୪୬, ସମ୍ବଲପୁରରେ ୩୨, ବିଶାଖାପାଟଣାରେ ୬୦ ଏବଂ ଖୋର୍ଦ୍ଧା ରୋଡ୍ ଷ୍ଟେଶନରେ ୩୩ କୋଚ୍ରେ ଏହି ବ୍ୟବସ୍ଥା ଉପଲବ୍ଧ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।
ଏପ୍ରିଲ୍ ୨ ସୁଦ୍ଧା ୨୩ କୋଚକୁ ଆଇସୋଲେଶନ ଓ କ୍ୱାରେଣ୍ଟାଇନରେ ରୂପାନ୍ତରଣ କରାଯାଇଛି। ମଞ୍ଚେଶ୍ୱର ଓ ଖୋର୍ଦ୍ଧା ରୋଡରେ ଗୋଟିଏ ଲେଖାଏ, ପୁରୀରେ ୫, ଭୁବନେଶ୍ୱର ଓ ସମ୍ବଲପୁରରେ ୬ଟି ଲେଖାଏ ଏବଂ ବିଶାଖାପାଟଣାରେ ୪ଟି କୋଚର କାମ ଶେଷ ହୋଇଛି। ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ରହିବା ଲାଗି ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ କରାଯାଇଛି। ଝରକା ଗୁଡ଼ିକରେ ମଶାରୀ ଲଗାଯାଇଥିବାବେଳେ ପ୍ରତି କୋଚରେ ଗୋଟିଏ ବାଥରୁମ୍ ଓ ୩ ଶୌଚାଳୟ, ଲିକୁଇଡ୍ ଶପ୍ ଡିସ୍ପେନ୍ସର, ଡଷ୍ଟବିନ୍, ଚାର୍ଜିଂ ପଏଣ୍ଟ, ବେଡଶିଟ୍ ଓ ତକିଆ, ପ୍ଲାଷ୍ଟିକ୍ କର୍ଟନ ଆଦି ଆବଶ୍ୟକ ବ୍ୟବସ୍ଥା ହୋଇଛି। କୋଭିଡ୍-୧୯ ରୋଗୀଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଚିକିତ୍ସା ସେବା ଉପଲବ୍ଧ ହେବ। ଭୁବନେଶ୍ୱରରେ ୩ ଟ୍ରେନ୍, ଖୋର୍ଦ୍ଧା ରୋଡରେ ୨, ସମ୍ବଲପୁରରେ ୨, ଟିଟିଲାଗଡ଼ରେ ଗୋଟିଏ, ବିଶାଖାପାଟଣାରେ ୩, କଟକ ଓ ବିଜୟନଗରମରେ ଗୋଟିଏ ଲେଖାଏ ଏବଂ ପୁରୀ ଷ୍ଟେଶନରେ ୨ଟି କ୍ୱାରାଣ୍ଟାଇନ ଟ୍ରେନ୍ ରହିବ। ଆସନ୍ତା୧୫ ସୁଦ୍ଧା ସମସ୍ତ କାମ ସାରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି।