ମୟୂରଭଞ୍ଜ: ମଦ ନିଶା ହେଲା କାଳ। ମଦ ପାଇଁ ଦେଶୀଭାଟି ଯାଇ ଗଲା ଜୀବନ। ପୂର୍ବରୁ ଛପି ରହି ଅଚାନକ ଆକ୍ରମଣ।ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟାକଲା ହତ୍ୟାକାରୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲା ବୌଶିଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ ପଞ୍ଚାୟତ ନୂଆଁଗାଁ ଗ୍ରାମରେ ଘଟିଛି। ଅଚାନକ ଆକ୍ରମଣରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହୋଇ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ତେବେ ମୃତକ ରାଧାକୃଷ୍ଣ ବାରିକ (୫୦) ଏବଂ ଗୁତୁତ୍ତର ଶରତ ବାରିକ ଚିକିତ୍ସା ନିମନ୍ତେ ରୁପସା ଡାକ୍ତରଖାନାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ।
ଗତକାଲି ରାତିରେ ନୂଆଗାଁ ଗ୍ରାମର ରାଧାକୃଷ୍ଣ ବାରିକ ଓ ଶରତ ଚନ୍ଦ୍ର ବାରିକ ମଦ ପିଇବା ପାଇଁ ଗାଁରେ ଥିବା ଦେଶୀମଦ ଦୋକାନକୁ ସାଙ୍ଗ ହୋଇ ଯାଇଥିଲେ। ହେଲେ ପୂର୍ବରୁ ମଦପିଇ ଆକ୍ରମଣ ଉଦ୍ଦେଶ୍ୟରେ ସେଠାରେ ଥିବା ଏକ ଗାଡ଼ିଆ ନିକଟରେ ଛପି ରହିଥିବା ଶ୍ୟାମସୁନ୍ଦର ବାରିକ କୌଣସି ଏକ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ।ଫଳରେ ପ୍ରତିରୋଧ କରିବାର ସୁଯୋଗ ପାଇନଥିଲେ ମୃତକ ରାଧାକୃଷ୍ଣ ଏବଂ ଗୁରୁତ୍ତର ଭାବେ ଉଦ୍ଧାର ଶରତ ଚନ୍ଦ୍ର ବାରିକ। ପରେ ଖବରପାଇ ଘଟଣାସ୍ଥଳରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପହଞ୍ଚି ଏକ ଗାଡିଆ ଭିତରୁ ଉଦ୍ଧାର କରିଥିଲେ । ସେତେବେଳକୁ ରାଧାକୃଷ୍ଣ ବାରିକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଶରତ ବାରିକ ଗୁରୁତ୍ତର ଥିବାରୁ ତାଙ୍କୁ ପ୍ରଥମେ ରୁପସା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଶରତଙ୍କର ଅବସ୍ଥା ଜଟିଳ ଥିବାରୁ ତାଙ୍କର ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବରପାଇ ବେତନଟୀ ଏସ.ଡି.ପି.ଓ ଏବଂ ବୌଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ସାଇନଟିଫିକ ଟିମ ସହ ପହଞ୍ଚି ମୃତକ ରାଧାକୃଷ୍ଣ ବାରିକଙ୍କ ମୃତଦେହ ଜବତକରି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ତଦନ୍ତ ଚଳାଇଛି । ଏହି ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ଶ୍ୟାମସୁନ୍ଦର ବାରିକ ସହ ତାର ଶଳା ପାଗୁଲୁ ବେହେରା ବୈଶିଙ୍ଗା ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା କିମ୍ବା ଅନ୍ୟକୌଣସି କାରଣ ରହିଛି ଯାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି।