ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସବୁଜ ବନାନି । ନିଆଁର ଚକଡ଼ରେ ଏବେ ରାଜ୍ୟର ପ୍ରାୟ ସବୁ ଜଙ୍ଗଲ । ପଖାପାଖି ୮୭ ସ୍ଥାନରେ ଜଙ୍ଗଲ ଜଳୁଛି । ଖାଲି ନିଆଁ ନୁହେଁ, ବଡ଼ଧରଣର ନିଆଁ । ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ଓଡ଼ିଶାର ପ୍ରାକୃତିକ ପରିବେଶ । ଖରା ଦିନ ହୋଇଥିବାରୁ ଏବେ ସବୁଆଡ଼େ ଏପରି ଅଗ୍ନିକାଣ୍ଡ ଘଟୁଥିବା ଜଣାପଡ଼ିଛି । ତେବେ ପ୍ରତିବର୍ଷ ଖରାଦିନେ ଘଟୁଥିବା ଏପରି ଅଘଟଣ ଧିରେ ଧିରେ ଜଙ୍ଗଲ ଆଦିକୁ ନଷ୍ଟ କରୁଛି । ଗତ ୪ ତାରିଖରୁ ୭୦ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଛି ।
ଦିନକୁ ଦିନ ଏହି ନିଆଁ, ଆଖପାଖ ଅଞ୍ଚଳରେ ବ୍ୟାପିବାକୁ ଲାଗିଛି । ମଙ୍ଗଳବାର ପୁଣି ଆଉ ୧୭ଟି ଯାଗାରେ ନିଆଁ ଲାଗିଥିବାର ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଏକ ରିପୋର୍ଟ ଜାରି କରିଛି । ୨୦୧୯-୨୦ ସର୍ଭେ ଅନୁଯାୟୀ, ସବୁଜ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କୁ ପଛରେ ପକାଇଥିଲା । ଯାହା ବର୍ତ୍ତମାନ ୫୩୭.୪୪ ବର୍ଗ କି.ମି. ରୁ ପାଖାପାଖି ୬୧,୨୦୪.୧୭ ବର୍ଗ କି.ମି.କୁ ବୃଦ୍ଧି ହୋଇଥିଲା । କେବଳ ଦୁଇ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିଥିଲା । ତେବେ ବର୍ତ୍ତମାନ ବର୍ଷାର ଅଭାବ ତଥା ଟାଣ ଖରା, ଜଙ୍ଗଲଗୁଡ଼ିକୁ ବିପଦ ଘେରକୁ ଟାଣି ଆଣିଛି । ନିଆଁ ଲିଭିବାରେ ଏବେ ରୋକ ଲାଗୁନି । ପବନର ବେଗରେ ଆହୁରି ଜଳି ଉଠୁଛି ସବୁଜିମା । ମାଲମାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା, ନବରଙ୍ଗପୁର, ବାରିପଦା, ବଲାଙ୍ଗୀର ଆଦି ବିଭିନ୍ନ ଯାଗାରେ ଜଳୁଛି ଜଙ୍ଗଲ । ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପରି ଜଙ୍ଗଲ ରେ ନିଆଁ ଲାଗିବା ମଧ୍ୟ, ଓଡ଼ିଶା ପାଇଁ ଅନ୍ୟ ଏକ ସଙ୍କଟ ଆଣିଲାଣି । ଯାହା ପାଇଁ ମଙ୍ଗଳବାର ଆହୁରି ୧୭ଟି ଜଙ୍ଗଲକୁ ମାଡ଼ି ଚାଲିଛି ଅଗ୍ନି ପ୍ରବାହ ।