ଭୁବନେଶ୍ୱର: ୨୦୨୪ ବର୍ଷ ପାଇଁ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଛୁଟି ତାଲିକା ପ୍ରସ୍ତୁତ ହୋଇଛି । ଆସନ୍ତା ବର୍ଷ ୮୨ଦିନ ଛୁଟି ଦିବସ ରହିଛି । ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜଣାପଡିଛି । ସେପେଟ ଏହି ଛୁଟି ଦିବସକୁ ନେଇ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି । ଏହି ଛୁଟି ତାଲିକା ପ୍ରସ୍ତୁ ନିମୟକୁ ପରିବର୍ତ୍ତନ କରିବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦିଆଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷକ ସଂଘର ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ମାଧ୍ୟମିକ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଯେଉଁ ଛୁଟି ତାଲିକା ଜାରି କରାଯାଇଛି ସେଥିରେ ଛୁଟି ଦିବସ ୭୨ ଦିନ ଥିବା ସହିତ ବିଦ୍ୟାଳୟରେ ୧୦ ଦିନ ପାଳନ ହେଉଥିବା ଦିବସଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ମୋଟ ୮୨ଟି ଛୁଟି ରଖାଯାଇଛି ।
କିନ୍ତୁ ପାଳନ ଦିବସଗୁଡ଼ିକରେ ଶିକ୍ଷକମାନେ ବିଦ୍ୟାଳୟକୁ ଯିବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟ ଯଥା ବକୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, କଣ୍ଠ ସଙ୍ଗୀତ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ଆଦି ଅନେକ କାର୍ଯ୍ୟ କରିଥାନ୍ତି । ଅଧିକାଂଶ ଦିବସରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପରେ ହିଁ ଶିକ୍ଷକମାନେ ବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ତେଣୁ ଏହି ଦିବସକୁ ଛୁଟି ଦିବସ ଭାବେ କିପରି ଗଣନା କରାଯାଇପାରେ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି । ଶିକ୍ଷକମାନେ ଅନ୍ୟ ସରକାରୀ କର୍ମଚାରୀଙ୍କ ଠାରୁ ଅଧିକ ଛୁଟି ପାଇଥାନ୍ତି ବୋଲି ଆଲୋଚନା ହେଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ । ତେଣୁ ଯଦି ସରକାର ତୁରନ୍ତ ଛୁଟି ତାଲିକାରୁ ପାଳନ ଦିବସ ଗୁଡ଼ିକୁ ବାଦ ଦେଇ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଅବିକଳ ଛୁଟି ଦିବସ ତାଲିକା ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି ।