27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକାତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ; ଜେଲ୍‌ରେ ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

କାତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ; ଜେଲ୍‌ରେ ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଦୋହା : ଗୁପ୍ତଚର ବୃତ୍ତି ଅଭିଯୋଗରେ କାତାର ସରକାର ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏମାନେ ବର୍ତ୍ତମାନ କାତାର ଜେଲ୍‌ରେ ଥିବାବେଳେ ରାଜକ୍ଷମା ଅବେଦନର ଶୁଣାଣି ଚାଲିଛି । ଇତିମଧ୍ୟରେ ଭାରତ ସରକାରଙ୍କ ଅନୁରୋଧ ରକ୍ଷା କରି କାତାର ସରକାର ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଏହି ଅଧିକାରୀଙ୍କୁ କୂଟନୈତିକ ସାନ୍ନିଧ୍ୟ ପ୍ରଦାନ କରିଛନ୍ତି । ଫଳରେ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଚଳିତମାସ ୩ରେ ଏହି ନୌସେନା ଅଧିକାରୀଙ୍କୁ ଜେଲ୍‌ରେ ଭେଟିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ନିକଟରେ ଏକ ସମ୍ମିଳନୀରେ ଯୋଗଦେବାକୁ କାତାର ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାତାର ରାଷ୍ଟ୍ରମୁଖ୍ୟ ଶେଖ୍ ତମିମ୍ ବିନ୍ ହାମାଦ ଅଲ୍‌-ଥାନିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୋଦୀଙ୍କ ଅନୁରୋଧ ରକ୍ଷାକରି କାତାର ଶାସକ ଭାରତୀୟ ନୌସେନା ଅଧିକାରୀଙ୍କୁ କୂଟନୈତିକ ସାନ୍ନିଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ନୌସେନା ଅଧିକାରୀଙ୍କୁ ଦଣ୍ଡମୁକ୍ତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଇତିମଧ୍ୟରେ ଦୁଇ ଦୁଇଥର ଶୁଣାଣି ହୋଇସାରିଥିବାବେଳେ ଖୁବଶୀଘ୍ର ପରବର୍ତ୍ତୀ ଶୁଣାଣି ହେବ ବୋଲି ବାଗ୍‌ଚୀ କହିଛନ୍ତି । କାତାର ଗୁଇନ୍ଦା ବିଭାଗ ଗୁପ୍ତଚର ବୃତ୍ତି ଅଭିଯୋଗରେ ଗତବର୍ଷ ଅଗଷ୍ଟରେ ଏମାନଙ୍କୁ ଗିରଫ କରିଥିଲା ।

ଏମାନେ କୁଆଡେ ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହେବାପରେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଏହି ଅବସରପ୍ରାପ୍ତ ଅଧିକାରୀମାନେ ହେଲେ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାଗର ପାକାଲା, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ସଞ୍ଜୀବ ଗୁପ୍ତା, କ୍ୟାପଟେନ ନବତେଜ ସିଂହ ଗିଲ୍‌, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବଶିଷ୍ଠ ଏବଂ ନାବିକ ରାଗେଶ ଗୋପକୁମାର । କାତାର ନୌସେନା ଅଧିକାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟରେ ନିୟୋଜିତ ଥିବା ଏକ ଫାର୍ମରେ ଏମାନେ କାର୍ଯ୍ୟରତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking