ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଇତିମଧ୍ୟରେ ଏକ ବଡ଼ କାରନାମା କରିଛି । ଗତ ଏକ ବର୍ଷ ମଧ୍ୟରେ ଲିଗ୍ର ବ୍ରାଣ୍ଡ୍ ଭାଲ୍ୟୁରେ ୭୫ ପ୍ରତିଶତ ବୃଦ୍ଧି ଘଟିଛି । ଏହା ବୃଦ୍ଧି ପାଇଁ ୯୦ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଯାଇଛି । ଗତବର୍ଷ ଏହି ଟି-୨୦ ଲିଗ୍ରେ ଦୁଇଟି ନୂଆ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ସାମିଲ ହେବା ସହିତ ମିଡିଆ ରାଇଟ୍ସ ମଧ୍ୟ ବହୁ ମୂଲ୍ୟରେ ବିକ୍ରି ହୋଇଥିଲା । କନ୍ସଲ୍ଟିଂ ଏବଂ ଆଡ୍ଭାଇଜରୀ ଏଜେନ୍ସି ଡି ଆଣ୍ଡ୍ ପି ରିପୋର୍ଟ ଅନୁସାରେ ଆଇପିଏଲ୍ ୨୦୨୨ର ବ୍ରାଣ୍ଡ୍ ଭାଲ୍ୟୁ ବୃଦ୍ଧି ପାଇ ୧୦.୯ ବିଲିୟନ୍ ଡଲାରରେ ପହଞ୍ଚିଛି । ଏକବର୍ଷ ପୂର୍ବେ ୨୦୨୧ରେ ଏହା ୬.୨ ବିଲିୟନ୍ ଡଲାର ଥିଲା । ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ ୧୫ ବର୍ଷ ମଧ୍ୟରେ ଏହି ବଡ଼ କୀର୍ତ୍ତିମାନ ହାସଲ କରିପାରିଛି । ଗତ ଦିନରେ ଆଇପିଏଲ୍ର ମିଡିଆ ରାଇଟ୍ସ ୬.୨ ବିଲିୟନ୍ ଡଲାରରେ ବିକ୍ରି ହୋଇଥିଲା, ଯାହାର ଲାଭ ଲିଗ୍କୁ ମିଳିଛି ।
ଗୁଜରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ ଆଶାଠାରୁ ପ୍ରାୟ ୧୬ ଗୁଣା ଅଧିକ ୧.୬ ବିଲିୟନ୍ ଡଲାରରେ ବିକ୍ରି ହୋଇଥିଲା । ସେହିପରି ମ୍ୟାଚ୍ ପିଛା ବ୍ରଡ୍କାଷ୍ଟିଙ୍ଗ୍ ଫି’କୁ ଦେଖିଲେ ଏହା ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ସ୍ପୋର୍ଟ୍ସ ଲିଗ୍ ହୋଇଛି । ଲିଗ୍ର ଆଗାମୀ ସିଜନ୍ ପାଇଁ ଅକ୍ସନ୍ ଡିସେମ୍ବର ୨୩ରେ ହେବାକୁ ଯାଉଛି । ଏହି ଅବସରରେ ଖେଳାଳିଙ୍କ ଉପରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏହା ସତ୍ତ୍ୱେ ବିଜ୍ଞାପନ ମୂଲ୍ୟ ମାମଲାରେ ଏନ୍ଏଫ୍ଏଲ୍ ଏବଂ ଇପିଏଲ୍ ପରି କେତେକ ଅନ୍ୟ ସ୍ପୋର୍ଟ୍ସ ଲିଗ୍ ତୁଳନାରେ ଆଇପିଏଲ୍ ଏବେ ବି ବହୁ ପଛରେ ରହିଛି । ଆଇପିଏଲ୍ ୨୦୨୨ରେ ୧୦ ସେକେଣ୍ଟ୍ର ବିଜ୍ଞାପନ ମୂଲ୍ୟ ୨୦ ହଜାର ଡଲାର ଥିଲା । ଅନ୍ୟପକ୍ଷରେ ଏନ୍ଏଫ୍ଏଲ୍, ଇପିଏଲ୍ ଏବଂ ମେଜର୍ ଲିଗ୍ ବେସ୍ବଲ୍ରେ ସମାନ ସମୟ ପାଇଁ ବିଜ୍ଞାପନ ମୂଲ୍ୟ ଏକ ଲକ୍ଷ ଡଲାରଠାରୁ ଅଧିକ ଥିଲା ।