ନୂଆଦିଲ୍ଲୀ : ଆତଙ୍କବାଦ ଦମନ ଅଭିଯାନକୁ ଅଧିକ ସକ୍ରିୟ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପାକିସ୍ତାନର ୭ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ବେଆଇନ ଘୋଷଣା କରାଯାଇଛି । ଏମାନେ ହେଲେ ସଜ୍ଜାଦ ଗୁଲ୍, ଆଶିକ୍ ଅହମ୍ମଦ ନେଙ୍ଗ୍ରୁ, ମୁସ୍ତାକ ଅହମ୍ମଦ ଜର୍ଗାର, ହାମ୍ଜା ବୁର୍ହାନ୍, ଅଲ୍ଲୀ ଖାସିଫ୍ ଜାନ୍, ମୋହିଉଦ୍ଦିନ ଆଉରଙ୍ଗଜେବ୍ ଆଲମଗିର ଓ ହଫିଜ୍ ତଲ୍ହା ସୟିଦ । ଏମାନଙ୍କୁ ମିଶାଇ ମୋଟ ୩୮ ଜଣ ପାକ୍ ଆତଙ୍କବାଦୀଙ୍କୁ ବେଆଇନ ଘୋଷଣା କରାଯାଇଛି ।
ସେମାନଙ୍କର ଗତିବିଧି ଉପରେ କଡା ନଜର ରଖାଯାଇଛି । କଶ୍ମୀର ଉପତ୍ୟକାରେ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଇବା, ସୀମା ଆରପାରିରୁ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ କରାଇବା, କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି କାର୍ଯ୍ୟରେ ଲିପ୍ତ ରହିଥିବାରୁ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି ।