27.1 C
Bhubaneswar
Saturday, July 27, 2024
Homeଓଡିଶାହନ୍ତାଳଗୁଡ଼ା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୬ ଶ୍ରମିକ

ହନ୍ତାଳଗୁଡ଼ା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୬ ଶ୍ରମିକ

ମାଲକାନଗିରି: ମାଲକାନଗିରି ହନ୍ତାଳଗୁଡ଼ା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ଜଣ ଶ୍ରମିକଙ୍କ ମୃତଦେହ ସେମାନଙ୍କ ଜନ୍ମମାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଟିଗାଁରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା। ମୃତ ଶ୍ରମିକମାନେ ହେଲେ  ସୁନାଧର ଭତ୍ରା (୩୨), ପୂର୍ଣ୍ଣ ଭତ୍ରା (୩୦), ଜୀବନଧନ ଭତ୍ରା (୨୨), ପୁଲସିଂ ଭତ୍ରା (୨୬), ସୁନାଧର ଭତ୍ରା (୨୮) ଓ ଦୁର୍ଯ୍ୟୋଧନ ଭତ୍ରା (୨୩)। ଏମାନେ ସମସ୍ତେ ସଂପର୍କୀୟ ଭାଇ।

ଚିତ୍ରକୋଣ୍ଡା ବ୍ଲକ୍‌ ଯୋଡ଼ମ୍ବ ଅଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେଣୁ ଗୋଟିଏ ଟିପର୍‌ (ଓଡି-୩୦ଏ-୨୮୩୯)ରେ ସିମେଣ୍ଟ ଓ ଲୁହାଛଡ଼ ପରିବହନ କରାଯାଉଥିଲା। ଟିପର୍‌ରେ ୧୩ଜଣ ଶ୍ରମିକ ଯୋଡ଼ାମ୍ବ ଯାଉଥିଲେ। ପୂର୍ବାହ୍ନ ୧୧ଟାରେ ଚିତ୍ରକୋଣ୍ଡା-ଯୋଡ଼ାମ୍ବ ରାସ୍ତାର ହନ୍ତାଳଗୁଡା ଘାଟିରେ ବ୍ରେକ୍‌ ଫେଲ୍‌ ହୋଇ ଟିପର୍‌ ଭାରସାମ୍ୟ ହରାଇବାରୁ ଗାର୍ଡୱାଲ୍‌କୁ ଭାଙ୍ଗି ତଳକୁ ଖସି ପଡ଼ିଥିଲା। ପ୍ରାୟ ଶହେ ମିଟର ତଳକୁ ଟିପର୍‌ ଖସି ପଡ଼ିଥିବା ବେଳେ ଶ୍ରମିକଙ୍କ ଉପରେ ସିମେଣ୍ଟ ବସ୍ତା ଏବଂ ଲୁଡାଛଡ଼ ସବୁ ଲଦି ହୋଇଯାଇଥିଲା।

ଘାଟିରେ ଦୁର୍ଘଟଣା ଘଟି ୧୩ଜଣ ଶ୍ରମିକ ଚାପି ହୋଇ ରହିଥିବା ଖବର ପାଇ ହନ୍ତାଳଗୁଡ଼ା କ୍ୟାମ୍ପରୁ ବିଏସ୍‌ଏଫ୍‌ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଚିତ୍ରକୋଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। କିନ୍ତୁ ସେତେବେଳକୁ ୫ଜଣ ଶ୍ରମିକଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୮ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଯୋଡ଼ାମ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ଜଣେ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ ଆହତ ଅନନ୍ତରାମ ଭତ୍ରା, ଲକ୍ଷ୍ମଣ ମାଝୀ, କମଳଦାସ ଭତ୍ରା, ସାଲିନ ଗୌଡ, ଅସ୍ତୁ ଭତ୍ରା, ଲୋକେଶ୍ବର ଭତ୍ରା ଓ ଅଜିତ ସୁନାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୩ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking