ଭୁବନେଶ୍ୱର: ‘ଜନସାଧାରଣ ହିଁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରାଣକେନ୍ଦ୍ର । ଓଡ଼ିଶା ବାସୀଙ୍କ ଉନ୍ନତି ତଥା କଲ୍ୟାଣ ଦିଗରେ ପ୍ରତ୍ୟେକଙ୍କର ଚିନ୍ତାଧାରା ଓ ପ୍ରତ୍ୟେକ କାର୍ଯ୍ୟ ଅଭିପ୍ରେତ ହେବା ଉଚିତ । ଆପଣମାନେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶାର ଅସଲ ଏଜେଣ୍ଟ । ସେଥିପାଇଁ ୫-ଟି ଉପକ୍ରମ ଓ ମୋ ସରକାର କାର୍ଯ୍ୟକ୍ରମ ଅନୁସରଣ କରି ନିଷ୍ଠାର ସହ କାର୍ଯ୍ୟ କର । କଠିନ ପରିଶ୍ରମ କରିବା ସହ ପ୍ରତିବଦ୍ଧ ହୁଅ । ଏହାକଲେ ୨୦୪୭ ସୁଦ୍ଧା ଆପଣମାନେ ରାଜ୍ୟର ପ୍ରକୃତ ସ୍ଥପତି ହୋଇପାରିବେ । ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନିଯୁକ୍ତିି ପର୍ବ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ନିଯୁକ୍ତି ପାଇଥିବା ୪୨୧ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ଅଧିକାରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ନିଯୁକ୍ତି ଡ୍ରାଇଭ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସବୁ ବିଭାଗରେ ଖାଲି ଥିବା ପଦବୀ ପୂରଣ କରୁଛନ୍ତି । ଫଳରେ ରାଜ୍ୟର ଯୁବକମାନେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି । ବିଗତ ପାଞ୍ଚ ବର୍ଷରେ ମୋଟ୍ ୧୨୬୯ ଓସିଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିସାରିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ବ୍ୟବଧାନ ରହିବା ଉଚିତ ନୁହେଁ । ତାହା ହ୍ରାସ କରିବାରେ, ଆମେ ସଫଳ । ଦକ୍ଷତା ବୃଦ୍ଧି ଓ ସ୍ୱଚ୍ଛତା ଆଣିବାରେ ବି ସଫଳତା ପାଇଛୁ । ବର୍ତ୍ତମାନ ୫-ଟି ନୀତି ଏକ ପରିବର୍ତ୍ତିତ ଓଡ଼ିଶା ପାଇଁ ଲଞ୍ଚ ପ୍ୟାଡ୍ ହୋଇଛି । ନୂତନ ଭାବରେ ନିଯୁକ୍ତ ଅଧିକାରୀମାନେ ଏହି ମେଗା ପରିବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ ହେବାର ସୁଯୋଗ ପାଇଛନ୍ତି । ଅଧିକାରୀଙ୍କ ଅଦମ୍ୟ ପ୍ରୟାସ, ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ପରିବର୍ତ୍ତିତ ଓଡ଼ିଶାର ଭିଜନ ପରିପୃଷ୍ଟ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । । ଏହି ଅବସରରେ ୫ଟି ଉପକ୍ରମ ଅନୁସରଣରେ ସାଧାରଣ ପ୍ରଶାସନର କ୍ୱାଟର୍ ମ୍ୟାନେଜମେଣ୍ଟ ସିଷ୍ଟମ-୨.୦ ଅନଲାଇନ ସେବାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ପ୍ରିୟାପ୍ରିତି ହ୍ରାସ ପାଇବ ଓ କର୍ମଚାରୀ ଉପକୃତ ହେବେ । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସହ କାର୍ଯ୍ୟ କରବାକୁ ପରାମର୍ଶ ଦେଇଥିଲେ । ସେହିପରି ତିନିଜଣ ନୂତନ ଅଧିକାରୀ ମୁସୁମୀ ସାଜନ, ଅଙ୍କିତ ମହାପାତ୍ର ଓ ଡକ୍ଟର ଗର୍ଗୀ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ପ୍ରଦାନ ଦେଇଥିଲାବେଳେ ଶ୍ରମ କମିଶନର ସନ୍ଥଗୋପାଲାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।