27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଟନେଲ୍‌ରେ ୩୬୦ ଘଣ୍ଟା ବିତାଇଲେଣି ୪୧ ଶ୍ରମିକ

ଟନେଲ୍‌ରେ ୩୬୦ ଘଣ୍ଟା ବିତାଇଲେଣି ୪୧ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିବାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ସମ୍ଭବ ହୋଇପାରିନାହିଁ । ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଅଗୁର ମେସିନ୍ ଶୁକ୍ରବାର ଅକାମୀ ହୋଇପଡିବାରୁ ଉଦ୍ଧାରକାରୀ ଦଳ ଚିନ୍ତାରେ ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାରଠାରୁ ଟନେଲ ଉପରିପାଶ୍ୱର୍ରୁ ଭର୍ଟିକାଲ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି । ଭର୍ଟିକାଲ ଡ୍ରିଲିଂ ପାଇଁ ଶନିବାର ସନ୍ଧ୍ୟାରେ ମେସିନ୍ ଘଟଣାସ୍ଥଳକୁ ଅଣାଯାଇଥିଲା । ରବିବାର ସକାଳୁ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଉଦ୍ଧାରକାରୀ ଦଳ ବର୍ତ୍ତମାନ ଦୁଇଟି ବିକଳ୍ପ ଉପରେ ଧ୍ୟାନ କେନ୍ଦ୍ରଭୂତ କରୁଛନ୍ତି ।

ଅଗୁର ମେସିନ୍ ଟନେଲର ପ୍ରବେଶ ଦ୍ୱାର ଦେଇ ପ୍ରାୟ ୪୮ ମିଟର ଦୂରତା ପର୍ଯ୍ୟନ୍ତ ଅତଡା ପରିଷ୍କାର କରିବାପରେ ଶୁକ୍ରବାର ରାତିରେ ଏହା ଅକାମୀ ହୋଇପଡିଥିଲା । ଅତଡାରେ ଥିବା ଏକ ମେଟାଲିକ୍ ଗ୍ରାଇଣ୍ଡର ସହ ପିଟିହେବାରୁ ତାହାର ବ୍ଲେଡ୍ ଭାଙ୍ଗିଯାଇଥିଲା । ଏହାକୁ ମରାମତି କରିବା ଅସମ୍ଭବ ହୋଇପଡିଛି । ପୁନଶ୍ଚ ଏଥିଯୋଗୁଁ ଟନେଲ ମଧ୍ୟକୁ ପ୍ରବେଶ କରାଯାଉଥିବା ୮୦୦ ମିଲିମିଟର ଚଉଡା ବିଶିଷ୍ଟ ପାଇପ୍‌ର ମୁହଁ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଟନେଲ ମଧ୍ୟରେ ଜମିଥିବା ଆଉ ୧୦/୧୨ ମିଟର ଦୂରତ୍ୱର ଅତଡାକୁ ବାହ୍ୟ ଶ୍ରମିକଙ୍କ ଦ୍ୱାରା ହାତରେ (ମାନୁଆଲ) ସଫା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସେନାର ସହାୟତା ଲୋଡାଯାଇଛି । ସ୍ଥଳସେନାର କର୍ପସ ଅଫ୍ ଇଞ୍ଜିନିୟର୍ସର ଏଗ ଗ୍ରୁପ୍ ‘ମାଡ୍ରାସ ସାପର୍ସ’ ଇତିମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ଦ୍ୱିତୀୟରେ ଟନେଲ ଉପରିଭାଗରୁ ପ୍ରାୟ ୮୫ କିମ୍ବା ୯୦ ମିଟର ଖୋଳି ଶ୍ରମିକଙ୍କ ନିକଟରେ ପହଞ୍ଚିବା କାର୍ଯ୍ୟ ହାତକୁ ନିଆଯାଇଛି ।

ସତଲେଜ୍ ଜଳ ବିଦ୍ୟୁତ୍ ନିଗମ ତରଫରୁ ଟନେଲ ଉପରିପାଶ୍ୱର୍ରେ ୧୨ ମିଟର ବ୍ୟାସାର୍ଦ୍ଧରେ ଖନନ (ଡ୍ରିଲିଂ) କାର୍ଯ୍ୟ ଆରମ୍ଭ ହୋଇଛି । ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ୧୫ ମିଟର ମାଟି ଖୋଳା ସରିଲାଣି । ଯଦି କୌଣସି ବାଧା ନ ଉପୁଜେ, ତେବେ ଅବଶିଷ୍ଟ ୮୫ ମିଟର ଖୋଳିବାକୁ ୪/୫ ଦିନ ସମୟ ଲାଗିପାରେ ବୋଲି ଆକଳନ କରାଯାଇଛି । ଗୋଟିଏ ମେସିନ୍ ସର୍ବାଧିକ ୪୫ ମିଟର ପର୍ଯ୍ୟନ୍ତ ମାଟି ଖୋଳିପାରିବ । ଏହାପରେ ନୂଆ ମେସିନ୍‌କୁ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କୁହାଯାଇଛି । ସତଲେଜ୍ ଜଳ ବିଦ୍ୟୁତ ନିଗମ ହେଉଛି କେନ୍ଦ୍ର ଓ ହିମାଚଳ ପ୍ରଦେଶ ସରକାରଙ୍କୁ ମିଳିତ ଆନୁକୂଲ୍ୟରେ ଗଠିତ ଏକ ସଂସ୍ଥା । ଏହା ଦେଶର ବିଭିନ୍ନ ସ୍ଥାନରେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ହାତକୁ ନେଇଛି । ଅଗୁର ମେସିନ୍ ଅକାମୀ ହେବାପରେ ହୋରାଇଜୋଣ୍ଟାଲ ଡ୍ରିଲିଂ ପାଇଁ ରେଳ ବିକାଶ ନିଗମ ଲିମିଟେଡ୍‌ର ସହାୟତା ମଧ୍ୟ ନିଆଯାଇଛିି । ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ପହଞ୍ଚି ଗଲାଣି । ଆସନ୍ତା ସୋମବାରଠାରୁ ଏହି ମେସିନ୍ ଦ୍ୱାରା କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଦିନକୁ ୧୨ ମିଟର ହିସାବରେ ୧୮୦ ମିଟର ଅତଡା ସଫା କରିବାକୁ ୧୨/୧୪ ଦିନ ସମୟ ଲାଗିପାରେ ବୋଲି ଆକଳନ କରାଯାଉଛି । ଅପରପକ୍ଷରେ ବାର୍‌କୋଟ୍ ପାଶ୍ୱର୍ରୁ ‘ଦି ଥର୍ମାଲ କର୍ପୋରେସନ ଲିମିଟେଡ’ ମଧ୍ୟ ଖୋଳିବା କାର୍ଯ୍ୟ ଆରମ୍ଭ କରିଛି । ତେବେ ଏହି ପାଶ୍ୱର୍ରୁ ଖନନ କାର୍ଯ୍ୟ ବେଶ ସମୟ ସାପେକ୍ଷ । ୪୮୩ ମିଟର ଖୋଳିବାକୁ ବେଶ କିଛି ଦିନ ଲାଗିବ ବୋଲି ଅନୁମାନ କରାଯାଉଛି । ତେବେ ଭର୍ଟିକାଲ ଓ ମାନୁଆଲ ଡ୍ରିଲିଂ କାର୍ଯ୍ୟ ଏକାସାଙ୍ଗରେ ସମ୍ଭବ ହୋଇପାରିବ କି ବୋଲି ପ୍ରଶ୍ନ ହେବାରୁ ଉତ୍ତରାଖଣ୍ଡ ସରକାରଙ୍କ ଅନ୍ୟତମ ସଚିବ ନୀରଜ ଖୈରୱାଲ କହିଛନ୍ତି ଯେ ଏଥିପାଇଁ ଆମେ ବିଶେଷଜ୍ଞଙ୍କ ମତାମତ ଲୋଡିଛୁ । ଯଦି ଗୋଟିଏ ପଟରୁ ଖନନ କାର୍ଯ୍ୟ ଚାଲିଥିବାବେଳେ ଏହାର ପ୍ରତିକୂଳ ପ୍ରଭାବ ଅନ୍ୟପଟରେ ପଡେ, ତେବେ ସବୁ ଯୋଜନା ପଣ୍ଡ ହୋଇପାରେ ବୋଲି ସେ କହିଛନ୍ତି । ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking