ବାଙ୍ଗାଲୋର: ଖାସି ମାଂସ ଖାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ନାଟକର ରାଇଚୁର ଜିଲା ଅନ୍ତର୍ଗତ କଲ୍ଲୁର ଗ୍ରାମରେ । ପ୍ରାଣ ହରାଇଛନ୍ତି ବାପା, ମା’ ଏବଂ ତାଙ୍କର ଦୁଇ ସନ୍ତାନ । ମୃତକମାନେ ହେଉଛନ୍ତି ଭୀମାନ୍ନା ବାଗଲି(୬୦), ସ୍ତ୍ରୀ ଏରାମ୍ମା (୫୪), ପୁଅ ମାଲେଶା (୧୯) ଓ ଝିଅ ପାର୍ବତୀ (୧୭) । ଅନ୍ୟ ଜଣେ ବ୍ୟକ୍ତି କୋମାରେ ଅଛନ୍ତି । ଗୁରୁବାର ସନ୍ଧ୍ୟାରେ ଭୀମାନ୍ନା ଘରକୁ ଛେଳି ମାଂସ ଆଣିଥିଲେ । ତାହାକୁ ରନ୍ଧା ଯାଇଥିଲା ।
ପରିବାରର ୫ ସଦସ୍ୟ ଏକାଠି ବସି ଚପାତି, ସାଲାଡ, ଛେଳିମାଂସ ତରକାରୀ ଖାଇଥିଲେ । ପରେ ମଧ୍ୟରାତ୍ରିରେ ସେମାନେ ଅସହଜ ଅନୁଭବ କରିଥିଲେ । ଧୀରେ ଧୀରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଖବରପାଇ ପଡ଼ୋଶୀ ଲୋକେ ସେମାନଙ୍କୁ ରାଇଚୁର ଡାକ୍ତରଖାନାକୁ ନେଇଥିଲେ । ହେଲେ ଭୋର ପ୍ରାୟ ୩ଟାରେ ବାଟରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପ୍ରଚାର ହୋଇଥିଲା । କିନ୍ତୁ ରାଇଚୁର ଡିସିପି ଏହାକୁ ଖଣ୍ଡନ କରିଛନ୍ତି । ଖାଦ୍ୟରେ କୌଣସି ପ୍ରକାର କ୍ଷତିକାରକ ବିଷାକ୍ତ ଦ୍ରବ୍ୟ ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି । ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି ।