ଅହମଦାବାଦ: ଗୁଜରାଟରୁ ଆଜି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରାଜ୍ୟ ଏଟିଏସ୍ ଟିମ୍ ଏହି ୪ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅବିଳମ୍ବେ ଯୋଜନା ମୁତାବକ ଚଢ଼ଉ କରିବା ପୂର୍ବକ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ରିପୋର୍ଟ ଅନୁସାରେ ଏହି ୪ ଆତଙ୍କବାଦୀ ଅହମଦାବାଦ ବିମାନବନ୍ଦରରେ ଆସି ପହଞ୍ôଚବା ମାତ୍ରେ ଏମାନଙ୍କୁ ବିମାନବନ୍ଦରରୁ ହିଁ କାବୁ କରିନିଆଯାଇଛି ।
ରିପୋର୍ଟ ଲେଖାହେବା ସୁଦ୍ଧା ଏହି ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ତେବେ ଏହି ୪ ଆତଙ୍କୀଙ୍କ ପାଖରୁ ଜବତ ହୋଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରୁ ସେମାନଙ୍କର ଶ୍ରୀଲଙ୍କା ସହ ଲିଙ୍କ୍ ରହିଥିବା ଜାଣିବାକୁ ମିଳିଛି । ତେବେ ଏସବୁ ମଧ୍ୟରେ ଗୁଜରାଟ ଏଟିଏସ୍ ସମସ୍ତ ୪ ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା ଆରମ୍ଭ କରିଛି । ଆତଙ୍କବାଦୀମାନେ କେଉଁ ଉଦ୍ଦେଶ୍ୟରେ ଅହମଦାବାଦ ବିମାନବନ୍ଦରକୁ ଆସିଥିଲେ ସେ ନେଇ ସୂଚନା ମିଳିନାହିଁ । ଆଇଏସ୍ଆଇଏସ୍ର ଏହି ୪ ଆତଙ୍କୀ କଲମ୍ବୋରୁ ତାମିଲନାଡୁ ଏବଂ ତାମିଲନାଡୁରୁ ଅହମଦାବାଦକୁ ଆସିଥିବା ବର୍ତ୍ତମାନ ସୁଦ୍ଧା ଅନୁମାନ କରାଯାଉଛି । ପ୍ରକାଶ, ମେ ୧୨ରେ, ଅହମଦାବାଦର ସର୍ଦ୍ଦାର ଭଲ୍ଲଭଭାଇ ବିମାନବନ୍ଦରକୁ ବୋମା ଆକ୍ରମଣ ଧମକ ମିଳିଥିଲା । ତେବେ ଏହି ବୋମା ଧମକ ସହ ଏମାନଙ୍କ ସମ୍ପୃକ୍ତି ଥିବା କୁହାଯାଉଛି ।