19.1 C
Bhubaneswar
Saturday, January 25, 2025
Homeଦେଶ ବିଦେଶଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁ: ଜରୁରୀ ପରିସ୍ଥିତି ଘୋଷଣା, ଭାରତ ପଠାଇଲା ଚାଉଳ ଓ ଡିଜେଲ

ଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁ: ଜରୁରୀ ପରିସ୍ଥିତି ଘୋଷଣା, ଭାରତ ପଠାଇଲା ଚାଉଳ ଓ ଡିଜେଲ

କଲମ୍ବୋ : ଦେଶରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ପରିପ୍ରେକ୍ଷୀରେ ଶ୍ରୀଲଙ୍କା ସରକାର ଶନିବାର ଦେଶବ୍ୟାପୀ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି । ଶନିବାର ସନ୍ଧ୍ୟାରୁ ଲାଗୁ ହୋଇଥିବା ଏହି କର୍ଫ୍ୟୁ ସୋମବାର ସକାଳ ସୁଦ୍ଧା ବଳବତ୍ତର ରହିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଲୋକେ ଏହାଫଳରେ ସରକାର ବିରୋଧୀ ବିକ୍ଷୋଭରେ ସାମିଲ ହୋଇପାରିବେ ନାହିଁ ବୋଲି କୁହାଯାଇଛି । ଶ୍ରୀଲଙ୍କା ବର୍ତ୍ତମାନ ଦେବାଳିଆ ସ୍ଥିତି ଦେଇ ଗତି କରୁଥିବାବେଳେ ଖାଦ୍ୟପଦାର୍ଥ, ଔଷଧପତ୍ର, ପେଟ୍ରୋଲ, ଡିଜେଲ, ବିଦ୍ୟୁତ୍ ଶକ୍ତିର ଘୋର ଅଭାବ ପରିଲକ୍ଷିତ ହେବାରେ ଲାଗିଛି । ସାଧାରଣ ଜନତାଙ୍କ ଜୀବନ ଯାପନ ଶୈଳୀ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଏହାର ପ୍ରତିବାଦରେ ସେମାନେ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ବାଧ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ ସହସ୍ରାଧିକ ଜନତା ଶୁକ୍ରବାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଦେଶର ଏଭଳି ପରିସ୍ଥିତି ପାଇଁ ରାଷ୍ଟ୍ରପତିଙ୍କ ସମେତ ତାଙ୍କ ପରିବାରକୁ ଦାୟୀ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପୁଲିସ ସହ ଧସ୍ତାଧସ୍ତିରେ ଶତାଧିକ ବିକ୍ଷୋଭକାରୀ ଆହତ ମଧ୍ୟ ହୋଇଥିଲେ । ନୈତିକତା ଦୃଷ୍ଟିରୁ ରାଜପକ୍ଷ ତୁରନ୍ତ ରାଷ୍ଟ୍ରପତି ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ସେମାନେ ଦାବି କରିଥିଲେ । ପୁଲିସ ୫୩ ଜଣଙ୍କୁ ଗିରଫ କରିସାରିଛି । ଦେଶରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାବେଳେ ପେଟ୍ରୋଲ, ଡିଜେଲ ଅଭାବରୁ ରାସ୍ତାରେ ଗାଡି ମଧ୍ୟ ଗଡୁନାହିଁ । ଶ୍ରୀଲଙ୍କାର ଶାସନଭାର ବର୍ତ୍ତମାନ ରାଜପକ୍ଷ ପରିବାର ଚଳାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ପରିବାରର ସବୁଠୁ ବଡ ଭାଇ ଚମଲ ରାଜପକ୍ଷ କୃଷି ମନ୍ତ୍ରୀ ଥିବାବେଳେ ଦ୍ୱିତୀୟ ଭାଇ ମହିନ୍ଦା ପ୍ରଧାନମନ୍ତ୍ରୀ ଆସନରେ ଗାଦିସୀନ ଅଛନ୍ତି । ତୃତୀୟ ଭାଇ ଗୋତବାୟା ରାଷ୍ଟ୍ରପତି ଦାୟିତ୍ୱ ତୁଲାଉଥିବାବେଳେ ସବୁଠାରୁ ସାନ ଭାଇ ବାସିଲ ରାଜପକ୍ଷଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ ରହିଛି । ପୁତୁରା ନମଲ ରାଜପକ୍ଷ କ୍ରୀଡାମନ୍ତ୍ରୀଭାବେ କାର୍ଯ୍ୟରତ ଅଛନ୍ତି । ଦେଶରେ ଏକପ୍ରକାର ଅରାଜକତା ଦେଖାଦେଇଥିବାରୁ ଜନ ଅସନ୍ତୋଷ ତୀବ୍ର ଆକାର ଧାରଣ କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ରାଜଧାନୀ କଲମ୍ବୋ ବ୍ୟତୀତ ଗାଲେ, ମାତାରା ଓ ମୋରାତୁୱା ସହରରେ ମଧ୍ୟ ସରକାର ବିରୋଧୀ ବିକ୍ଷୋଭ ମୁଣ୍ଡ ଟେକିବାରେ ଲାଗିଛି । ଶ୍ରୀଲଙ୍କା ସରକାରଙ୍କ ଅନୁରୋଧ ରକ୍ଷାକରି ଭାରତ ଇତିମଧ୍ୟରେ ସେଠାକୁ ୪୦ ହଜାର ଟନ୍ ଚାଉଳ ଓ ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ ପଠାଇଥିବା ଜଣାପଡିଛି । ଶ୍ରୀଲଙ୍କା ବର୍ତ୍ତମାନ ୭ ବିଲିୟନ ଡଲାର ବୈଦେଶିକ ଋଣରେ ବୁଡିରହିଥିବାବେଳେ ମୁଦ୍ରାସ୍ଫିତୀ ନିମ୍ନଗାମୀ ହେବାରେ ଲାଗିଛି । ଦେଶକୁ ଆର୍ôଥକ ସଙ୍କଟରୁ ରକ୍ଷା କରିବାକୁ ସରକାର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି( ଆଇଏମଏଫ୍‌)ର ଦ୍ୱାରସ୍ଥ ହୋଇଛନ୍ତି । ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରାର ବିନିମୟ ମୂଲ୍ୟ ସାଂଘାତିକ ସ୍ତରକୁ ଖସିଆସିଲାଣି । ସରକାରଙ୍କ ଆର୍ôଥକ କୁପରିଚାଳନା ପାଇଁ ଦେଶ ଓ ଦେଶବାସୀ ଏଭଳି ନର୍କ ଅବସ୍ଥା ଭୋଗୁଛନ୍ତି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking